Categories: ଖେଳ

ନିକୋଲାସ ପୁରନଙ୍କୁ ଜରିମାନା

ପ୍ରୋଭିଡେନ୍ସ (ଗୁଏନା), ୮ା୮ : ଓ୍ବେଷ୍ଟଇଣ୍ଡିଜ ଉଇକେଟକିପର-ବ୍ୟାଟର ନିକୋଲାସ ପୁରନଙ୍କୁ ତାଙ୍କ ମ୍ୟାଚ ଫି’ର ୧୫ ପ୍ରତିଶତ ଜରିମାନା କରାଯାଇଛି। ସାମବାର ଭାରତ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ରେ ଓ୍ବେଷ୍ଟଇଣ୍ଡିଜ ଦୁଇ ଉଇକେଟରେ ବିଜୟ ଲାଭ କରିଥିଲା। ଦଳକୁ ଜିତାଇବାରେ ପୂରନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ମ୍ୟାଚ ବେଳେ ସେ ଅମ୍ପାୟରିଂକୁ ସର୍ବସାଧାରଣରେ ସମାଲୋଚନା କରି ଅଡୁଆରେ ପଡ଼ିଛନ୍ତି। ଖେଳାଳି ଓ ସହକାରୀ ଷ୍ଟାଫ୍‌ମାନଙ୍କ ଲାଗି ଉଦ୍ଦିଷ୍ଟ ଆଇସିସି ଆଚରଣବିଧିର ଧାରା ୨.୪ର ଉଲ୍ଲଂଘନ କରିଛନ୍ତି। ଏହାଦ୍ୱାରା ସେ ଲେଭଲ-୧ ଅପରାଧ କରିଛନ୍ତି। ପୂରନ ତାଙ୍କ ଦୋଷ ସ୍ବୀକାର କରିଛନ୍ତି। ମ୍ୟାଚ ରେଫରି ରିଚି ରିଚାର୍ଡସନଙ୍କ ତାଙ୍କ ଯେଉଁ ଦଣ୍ଡବିଧାନ କରିଛନ୍ତି ତାହାକୁ ସେ ଗ୍ରହଣ କରିନେବାରୁ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକ ପଡ଼ି ନ ଥିଲା। ପୁରନଙ୍କ ଶୃଙ୍ଖଳାଗତ ରେକର୍ଡରେ ଗୋଟିଏ ଡିମେରିଟ୍‌ ପଏଣ୍ଟ ମଧ୍ୟ ଯୋଗ କରାଯାଇଛି। ୨୪ମାସ ମଧ୍ୟରେ ଏହା ହେଉଛି ତାଙ୍କର ପ୍ରଥମ ଅପରାଧ। ଭାରତ ଇନିଂସର ଚତୁର୍ଥ ଓଭରରେ ଏକ ଏଲ୍‌ବିଡବ୍ଲ୍ୟୁ ନିଷ୍ପତ୍ତିର ରିଭ୍ୟୁ ପରେ ଏହି ଘଟଣା ଘଟିଥିଲା। ଖେଳାଳି ଜଣକ ନଟଆଉଟ ଥିବା ସ୍ପଷ୍ଟ ଜଣାପଡୁଥିଲେ ମଧ୍ୟ ଅମ୍ପାୟର ଅଯଥା ରିଭ୍ୟୁର ସହାୟତା ନେଇଛନ୍ତି ବୋଲି ଦର୍ଶାଇ ପୁରନ ସମାଲୋଚନା କରିଥିଲେ।

Share