ଫୁଟ୍‌ପାଥରେ ଗାଡ଼ି ରଖିଲେ ଗଣିବେ ଜରିମାନା

କେନ୍ଦୁଝର,୨୬ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ପୋଲିସ ପକ୍ଷରୁ ଗାଡ଼ି ଚାଳକଙ୍କୁ ସଚେତନ କରିବା ସହ ଏକ କଡ଼ା ଚେତାବନୀ ଦିଆଯାଇଛି।

ରାସ୍ତା ଅବରୋଧ କରି ଗାଡ଼ି ରଖିଲେ ଚାଳକଙ୍କଠାରୁ ଜରିମାନା ଆଦାୟ କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି। ଥାନା ଅଧିକାରୀ ସୁନୀଲ କରଙ୍କ ଉପସ୍ଥିତିରେ ପୋଲିସ କର୍ମଚାରୀ କେନ୍ଦୁଝର ସହରରେ ବିଭିନ୍ନ ରାସ୍ତାରେ ଫ୍ଲାଗ୍‌ ମାର୍ଚ୍ଚ କରି ଲୋକଙ୍କୁ ମାଇକ ଯୋଗେ ସଚେତନ କରିଥିଲେ।

ସୂଚନା ଯୋଗ୍ୟ, ସହରର ଗାନ୍ଧୀ ଛକଠାରୁ ଆରମ୍ଭ କରି ମୁଖ୍ୟ ବଜାର ରାସ୍ତା, ମାଇନିଂ ରୋଡ୍‌, କଲେଜ ରୋଡ୍‌, ହସ୍ପିଟାଲ ରୋଡ୍‌, ଜେଲ ରୋଡ୍‌ରେ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ବଢିବାରେ ଲାଗିଛି। ରାସ୍ତା ଉପରେ ଦିନ ଓ ରାତି ଗାଡିଗୁଡିକ ଛିଡ଼ା ହୋଇ ରହୁଛି। ଫଳରେ ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ଘଟୁଛି। ତେବେ ବିନା ପାର୍କିଂରେ ଚାଲିଥିବା ମାର୍କେଟ କମ୍ପ୍ଲେକ୍ସ, ହୋଟେଲ, ମଲ୍‌ ଆଦି ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହେବ ତାହାକୁ ଦେଖିବାକୁ ବାକୁ ରହିଛି।

Share