Advertisement

ଦାରିଙ୍ଗବାଡିର ହୋଟେଲ, ରେଷ୍ଟୁରାଣ୍ଟରେ ଚଢ଼ାଉ: ଜରିମାନା ଆଦାୟ

ଦାରିଙ୍ଗବାଡି,୧୮।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟରେ ସୋମବାର ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। କନ୍ଧମାଳ ଜଲା ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ଷେଣ୍ଢଙ୍କ ନେତୃତ୍ୱରେ ବିଭାଗୀୟ ଟିମ୍‌ ସମେତ ଦାରିଙ୍ଗବାଡି ପୋଲିସ ଅଧିକାରୀ ସୁବାଷ ଚନ୍ଦ୍ର ବାୟକ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ।

ଚଢାଉ ବେଳେ ଅଧିକାରୀମାନେ ଏକାଧିକ ହୋଟେଲର ଲାଇସନ୍ସ ନ ଥିବା ଜାଣିବାକୁ ପାଇଛନ୍ତି। ଏପରିକି ହୋଟଲରେ ଥିବା ବାସିଖାଦ୍ୟକୁ ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି। ଏଥିସହ ହୋଟେଲ ମାଲିକଙ୍କଠାରୁ ଜରିମାନା ଆଦାୟ କରାଯିବା ସହ ଆଗାମୀ ଦିନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନି ଦିଆଯାଇଛି। ଖବର ଲେଖିବା ସୁଦ୍ଧା ଏହି ଚଢ଼ାଉ ଜାରି ରହିଛି।

ପ୍ରକାଶ ଯେ, ଦାରିଙ୍ଗବାଡିକୁ ଏବେ ବିଭିନ୍ନ ଜିଲା ତଥା ରାଜ୍ୟରୁ ଶୀତର ମଜା ନେବା ପାଇଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି। ଏପରିକି ପର୍ଯ୍ୟଟକମାନେ ବଣଭୋଜି କରି ମଜା ନେଉଛନ୍ତି। କିଛି ପର୍ଯ୍ୟଟକ ସ୍ଥାନୀୟ ହୋଟେଲ, ରେଷ୍ଟୁରାଣ୍ଟ ଉପରେ ନିର୍ଭର କରୁଛନ୍ତି। ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟକଙ୍କ ଖାଦ୍ୟ ନିରାପତ୍ତା, ସାମାଜିକ ସୁରକ୍ଷା ଓ ମୌଳିକ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି।

ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବା ସହ ପର୍ଯ୍ୟଟକମାନେ ରାତି ଯାପନ କରୁଥିବା ଲଜ୍‌ଗୁଡିକୁ ବାରମ୍ବାର ଯାଞ୍ଚ କରାଯାଉଛି। ପର୍ଯ୍ୟଟକମାନେ କିଭଳି ସୁରକ୍ଷିତ ଖାଦ୍ୟ ପାଇବେ ଓ ସ୍ବଚ୍ଛତା, ଗୁଣବତ୍ତା ଖାଦ୍ୟ ପାଇବେ ଏନେଇ ଏହି ଚଢ଼ାଉ କରାଯାଉଥିବା ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ଷେଣ୍ଢ ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share