କେନ୍ଦୁଝର/ଯୋଡ଼ା,୧୫।୧(ଡି.ଏନ୍.ଏ./ସ୍ବ.ପ୍ର.): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ତଦାରଖ କରିବା ସହ ସମୀକ୍ଷା କରିଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରି କାର୍ଯ୍ୟକ୍ଷମ କରିବାକୁ ସେ ସମ୍ପୃୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଉରକେଲାରୁ କେନ୍ଦୁଝର ଆସିବା ରାସ୍ତାରେ ମୁଖ୍ୟ ଶାସନ ସଚିବ ମହାପାତ୍ର ରାଜାମୁଣ୍ଡାରୁ ରିମୁଳି ପର୍ଯ୍ୟନ୍ତ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ଏହାପରେ ଯୋଡ଼ା ଗସ୍ତ କରି ଯୋଡ଼ା-ବାମେବାରୀ ରାସ୍ତାରେ ନିର୍ମାଣାଧୀନ ଯୋଡ଼ା ଫ୍ଲାଏ ଓଭର ବ୍ରିଜର ଅଗ୍ରଗତି ତଦାରଖ କରିଥିଲେ। ପ୍ରକଳ୍ପ ନିର୍ମାଣ ଅଗ୍ରଗତିରେ ଯାହା ସମସ୍ୟା ପ୍ରତିବନ୍ଧକ ରହିଛି ଜିଲା ପ୍ରଶାସନ ସହଯୋଗରେ ସେସବୁର ସମାଧାନ କରି ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପରେ କାନପୁର ଜଳସେଚନ ପ୍ରକଳ୍ପର ବିଭିନ୍ନ ଅଂଶର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ନଦୀବନ୍ଧ, ସ୍ପିଲ୍ୱେ, ଗେଟ୍ ଏବଂ ରିଭର ଗ୍ୟାପ୍ ଇତ୍ୟାଦି କାର୍ଯ୍ୟର ସ୍ଥିତି ତଦାରଖ କରିଥିଲେ। ଚଳିତ ଜୁନ୍ ମାସ ମଧ୍ୟରେ ଶେଷ କରିବାକୁ ସମ୍ପୃୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଜିଲାରେ ସରକାରଙ୍କ ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ, ଡି.ଏମ୍.ଏଫ୍. ଏବଂ ଓମ୍ବାଡିସି ଅନୁଦାନରେ ହାତକୁ ନିଆଯାଇଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଥିଲେ। ପ୍ରତି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲାପାଳ ଆଶିଷ ଠାକ୍ରେ, କେନ୍ଦୁଝର ଡି.ଏଫ୍.ଓ. ଧନରାଜ ଏଚ୍.ଡି., ଆନନ୍ଦପୁର ଡି.ଏଫ୍.ଓ. ଅଭୟ କୁମାର ଦଳେଇ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, କାନପୁର ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣି, ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ, ଓବିସିସିର ନିର୍ବାହୀ ଯନ୍ତ୍ରୀ ଇଂ. ନରସିଂହ ମହାନ୍ତ, ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅବିନାଶ ରାଉଳ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ଓ ସମୀକ୍ଷା ସମୟରେ ଉପସ୍ଥିତ ଥିଲେ।