ନ୍ୟୁୟର୍କ,୧୮।୩: ମିଳିତ ଜାତିସଂଘ(ୟୁଏନ୍)ର ବାର୍ଷିକ ସୂଚକାଙ୍କରେ ପଞ୍ଚମ ବର୍ଷ ପାଇଁ ଫିନ୍ଲାଣ୍ଡକୁ ଦୁନିଆର ସବୁଠାରୁ ଖୁସି ଦେଶ ଭାବେ ନାମିତ କରାଯାଇଛି। ଶୁକ୍ରବାର ପ୍ରକାଶିତ ହୋଇଥିବା ଓ୍ବାଲର୍ଡ ହାପିନେସ ରିପୋର୍ଟ’ରେ ଏହା ଦର୍ଶା ଯାଇଛି। ଅପରପକ୍ଷେ ଆଫଗାନିସ୍ତାନକୁ ସବୁଠାରୁ ଦୁଃଖି ଦେଶ ଭାବେ ବିବେଚନା କରାଯାଇଛି। ଏହାପରେ ଲେବାନନ୍ ରହିଛି।
୧୦ ବର୍ଷ ଧରି ଆସୁଥିବା ଏହି ରିପୋର୍ଟରେ ସୁସ୍ଥ ଜୀବନ, ମୁଣ୍ଡପିଛା ଜିଡିପି ଏବଂ ନାଗରିକ ମତକୁ ପ୍ରାଧାନ୍ୟ ଦିଆଯାଇଥାଏ। ତେବେ ସଦ୍ୟ ପ୍ରକାଶିତ ରିପୋର୍ଟର ଦ୍ୱିତୀୟ ସ୍ଥାନରେ ଡେନମାର୍କ, ତା’ ପରେ ସ୍ବିଜରଲାଣ୍ଡ, ଆଇସ୍ଲାଣ୍ଡ ଏବଂ ନେଦରଲାଣ୍ଡ ରହିଛି। ବ୍ରିଟେନରୁ ଗୋଟିଏ ସ୍ଥାନ ଆଗକୁ ଯାଇ ଆମେରିକା ୧୬ତମ ସ୍ଥାନକୁ ଉନ୍ନୀତ ହୋଇଛି। ସେହିଭଳି ଫ୍ରାନ୍ସ ୨୦ତମ ସ୍ଥାନରେ ରହିଛି। ଏହାଛଡ଼ା ପାକିସ୍ତାନ ରିପୋର୍ଟର ୧୦୩ତମ ସ୍ଥାନରେ ରହିଥିବା ବେଳେ ଭାରତ ୧୩୬ତମ ସ୍ଥାନରେ ରହିଛି।