Categories: ଜାତୀୟ

ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କ ନାଁରେ ମାମଲା

ଲକ୍ଷ୍ନୌ,୧।୧୨: ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ସାମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ବିରୋଧରେ ଆପତ୍ତି ଜନକ ପୋଷ୍ଟ ପାଇଁ ଉତ୍ତର ପ୍ରଦେଶର କନ୍ନୌଜ ଠାରେ ଥିବା ଗୋଟିଏ କୋର୍ଟରେ ଏପରି ମାମଲା ହୋଇଛି। ଜୁକରବର୍ଗ ନିଜେ ଅଖିଲେଶ ଯାଦବଙ୍କ ନାଁରେ କୌଣସି ପ୍ରକାରର ଆପତ୍ତିଜନକ ପୋଷ୍ଟ କରିନାହାନ୍ତି। କିନ୍ତୁ ଫେସବୁକ ତାଙ୍କ ମାଲିକାନାରେ ଥିବାରୁ ମାମଲାରେ ତାଙ୍କ ନାଁକୁ ସାମିଲ କରାଯାଇଛି। ଏଥିରେ ଜୁକରବର୍ଗଙ୍କ ବ୍ୟତୀତ ଆଉ ୪୯ ଜଣଙ୍କ ନାଁ ମଧ୍ୟ ରହିଛି।
ସୂଚନାଯୋଗ୍ୟ,ଉତ୍ତର ପ୍ରଦେଶର କନ୍ନୌଜ ଅନ୍ତର୍ଗତ ସାରାହତି ଗାଁରେ ରହୁଥିବା ଅମିତ କୁମାର ହିଁ ଆପତ୍ତିଜନକ ପୋଷ୍ଟ ବିରୋଧରେ ଏପରି ମାମଲା କରିଛନ୍ତି। ସେ ଅଭିଯୋଗରେ କହିଛନ୍ତି ଯେ ଫେସବୁକରେ ବୁଆ ବବୁଆ ନାଁରେ ଗୋଟିଏ ପେଜ ଖୋଲା ଯାଇଛି। ଏଥିରେ ଜାଣିଶୁଣି ଅଖିଳେଶଙ୍କ ଛବିକୁ ବଦନାମ କରିବା ପାଇଁ ପ୍ରୟାସ କରାଯାଉଛି। ପେଜ ଜରିଆରେ ଅନେକ ପ୍ରକାରର ଆପତ୍ତିଜନକ ପୋଷ୍ଟ କରାଯାଉଥିବା ସେ ଅଭିଯୋଗ କରିଥିଲେ। ଅମିତ କୁମାରଙ୍କ ଆବେଦନକୁ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଧର୍ମବୀର ସିଂହ ପୋଲିସକୁ ମାମଲା ରୁଜୁ କରିବାକୁ କହିଛନ୍ତି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

Share