Categories: ଜାତୀୟ

ଖଲିସ୍ତାନୀ ଆତଙ୍କବାଦୀ କହିବା କଙ୍ଗନାଙ୍କୁ ମହଙ୍ଗା ପଡ଼ିଲା

ମୁମ୍ବାଇ,୨୩।୧୧: ସୋସିଆଲ ମିଡିଆରେ ଶିଖ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ବିରୋଧରେ ମଙ୍ଗଳବାର ମାମଲା ରୁଜୁ ହୋଇଛି। ଅମରଜିତ ସିଂ ସାନ୍ଧୁ କରିଥିବା ଅଭିଯୋଗକୁ ଆଧାର କରି ଆଇପିସି ଦଫା ୨୯୫ଏ (ଜାଣିଶୁଣି ଧାର୍ମିକ ଭାବନାକୁ ଅପମାନିତ ଓ ଆଘାତ ଦେବା ଉଦ୍ଦେଶ୍ୟରେ କାର୍ଯ୍ୟ କରିବା)ରେ ମାମଲା ରୁଜୁ କରାଯାଇଥିବା ମୁମ୍ବାଇ ଖର ଥାନାର ଜଣେ ଅଧିକାରୀ କହିଛନ୍ତି। ଏହି ମାମଲାରେ କଙ୍ଗନା ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ୩ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ।

ଗତ ୨୦ ତାରିଖରେ କଙ୍ଗନା ଇନଷ୍ଟଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ କରିଥିଲେ। ସେଥିରେ ସେ କହିଥିଲେ, ”ଖଲିସ୍ତାନୀ ଆତଙ୍କବାଦୀମାନେ ଆଜି ସରକାରଙ୍କ ନିଷ୍ପତ୍ତି ବଦଳି ଦେଇଛନ୍ତି। କିନ୍ତୁ ଜଣେ ମହିଳାଙ୍କୁ ଭୁଲନ୍ତୁ ନାହିଁ। ଦେଶର ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଇନ୍ଦୀରା ଗାନ୍ଧୀ ଏମାନଙ୍କୁ ନିଜ ଜୋତା ତଳେ ମଶା ଭଳି ଚକଟି ଦେଇଥିଲେ। କିନ୍ତୁ ଦେଶକୁ ଭାଗ ଭାଗ ହେବାକୁ ଦେଇ ନ ଥିଲେ। ଏପରିକି ତାଙ୍କ ମୃତ୍ୟୁର ଦଶନ୍ଧି ପରେ ମଧ୍ୟ ତାଙ୍କ ନାଁ ଶୁଣିଲେ ଏମାନେ ଡରୁଛନ୍ତି। ଏମାନଙ୍କୁ ଇନ୍ଦୀରାଙ୍କ ଭଳି ଗୁରୁ ଦରକାର“।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ କୃଷି ଆଇନ ଉଚ୍ଛେଦ ନେଇ ଘୋଷଣା କରିବାର ଦିନକ ପରେ କଙ୍ଗନା ଏହି ଷ୍ଟୋରୀ ପୋଷ୍ଟ କରିଥିଲେ।

ଗତ ରବିବାର ଦିଲ୍ଲୀ ଶିଖ ଗୁରୁଦ୍ୱାରା ମ୍ୟାନେଜମେଣ୍ଟ କମିଟି (ଡିଏସ୍‌ଜିଏମ୍‌ସି) ମୁଖ୍ୟ ମନଜିନ୍ଦର ସିଂ ସିର୍ସାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଦିଲିପ ଓ୍ବାଲସେ ପାଟିଲଙ୍କୁ ଭେଟି ଅଭିନେତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଥିଲେ। ଏହାବାଦ୍‌ ଡିଏସ୍‌ଜିଏମ୍‌ସି ପକ୍ଷରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅଭିନେତ୍ରୀଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ପ୍ରତ୍ୟାହାର କରିବା ଲାଗି ଚିଠି ଲେଖିଥିଲେ।

Share