ପରିବାରକୁ ନିଆଁ ପାଣି ବାସନ୍ଦ

ବେଗୁନିଆପଡ଼ା,୨୫ା୮(ସୁଶାନ୍ତ କୁମାର ପଟ୍ଟନାୟକ): ବେଗୁନିଆପଡ଼ା ଥାନା ଅନ୍ତର୍ଗତ ନୂଆଗଡ଼ ଗାଁରେ କଙ୍ଗାରୁ କୋର୍ଟ ବସି ଗୋଟିଏ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଗୁରୁବାର ଅଭିଯୋଗ ହୋଇଛି। ଉକ୍ତ ପରିବାରରେ ସମ୍ପତିକୁ କେନ୍ଦ୍ର କରି ବିବାଦ ଉପୁଜିଥିଲା। ଏହାର ସମାଧାନ ପାଇଁ ଗାଁରେ ବୈଠକ କରି ସମାଧାନ ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଗାଁ କମିଟିର ଭୁଲ ନିଷ୍ପତ୍ତିକୁ ପରିବାର ଲୋକେ ଶୁଣି ନଥିଲେ । ଏଥିପାଇଁ ଧେଣ୍ଡୁରା ବଜାଇ ସମ୍ପୃକ୍ତ ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି। ଏହି ସମୟରେ କରାଯାଇଥିବା ଏକ ଭିଡିଓ ଅଧାରରେ ବାସନ୍ଦ ହୋଇଥିବା ପରିବାରର ଲକ୍ଷ୍ମୀ ସ୍ବାଇଁ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ବାସନ୍ଦ ଯୋଗୁ ଉକ୍ତ ପରିବାରର ଜୀବନ ଜୀବିକା ଉପରେ ପ୍ରଭାବ ପକାଉଛି ଏବଂ ଛୁଆମାନେ ଟ୍ୟୁସନ ସ୍କୁଲ ଯାଇ ପାରୁ ନାହାନ୍ତି। ଗାଁରେ କେହି କଥାବାର୍ତ୍ତା ହେଉ ନାହାଁନ୍ତି କି ଛୁଆମାନେ ଖେଳି ପାରୁ ନାହାନ୍ତି। ତୁରନ୍ତ ଘଟଣା ସଂପର୍କରେ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି ବାସନ୍ଦ ପରିବାର।