Categories: ଜାତୀୟ

ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ: ୧୦ ନବଜାତ ଶିଶୁ ମୃତ

ଭଣ୍ଡାରା,୯।୧: ମହାରାଷ୍ଟ୍ରର ଭଣ୍ଡାରା ଜିଲାରେ ଥିବା ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଅଗ୍ନିକାଣ୍ଡ ଯୋଗୁ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନବଜାତ କେୟାର ୟୁନିଟ୍‌ରେ ଶୁକ୍ରବାର-ଶନିବାର ରାତ୍ର ୨ଟାରେ ଅଗ୍ନିକାଣ୍ଡ ଘଟି ଏଭଳି ହୋଇଛି। ଏହି ୟୁନିଟ୍‌ରେ ୧୭ ନବଜାତ ଶିଶୁଙ୍କୁ ରଖାଯାଇଥିଲା ବୋଲି ଜିଲାପାଳ ସନ୍ଦୀପ୍‌ କଦମ କହିଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହିତ ଏହାର ତଦନ୍ତ ନିଦ୍ଦେର୍ଶ ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ମୃତ ନବଜାତକଙ୍କ ପରିବାରଙ୍କ ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏନେଇ ସେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ସହିତ ଆଲୋଚନା କରିଛନ୍ତି। ଏହି ହୃଦୟ ବିଦାରକ ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ରାହୁଲ ଗାନ୍ଧୀ ପ୍ରମୁଖ ଟୁଇଟ୍‌ କରି ଶୋକ ପ୍ରକାଶ କରିଛନ୍ତି।

Share