ବେଲପାହାଡ଼ ଟିଆର୍‌ଏଲ୍‌ କ୍ରୋସାକୀ ଡୋଲୋମାଇଟ୍‌ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, ବ୍ୟାପକ କ୍ଷୟକ୍ଷତି

ଝାରସୁଗୁଡ଼ା ଅଫିସ,୩।୩: ଝାରସୁଗୁଡ଼ା ଜିଲା ବେଲପାହାଡ ଟିଆର୍‌ଏଲ୍‌ କ୍ରୋସାକୀ ଡୋଲୋମାଇଟ ପ୍ଲାଣ୍ଟରେ ଗୁରୁବାର ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି। ସକାଳ ୭ଟାରେ ପ୍ଲାଣ୍ଟରେ ନିଆଁ ଲାଗିଥିବା ବେଳେ ସାଢେ ୯ଟାରେ ଆୟତ୍ତ ହୋଇଥିଲା। ଟିଆରଏଲ୍‌ କ୍ରୋସାକୀ, ଓପିଜିସି, ବେଦାନ୍ତ, ଲଖନପୁର ଓ ଝାରସୁଗୁଡ଼ା ଅଗ୍ନିଶ୍ରମ ବିଭାଗର ୫ରୁ ଊର୍ଦ୍ଧ୍ୱ ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ନିଆଁ ଏତେ ଜୋରରେ ଲାଗିଥିଲା ଯେ ସମଗ୍ର ପ୍ଲାଣ୍ଟ ଅଞ୍ଚଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ କଳାଧୂଆଁ ଆଚ୍ଛାଦିତ ହୋଇ ରହିଥିଲା। ଏନେଇ କମ୍ପାନୀର ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ସନ୍ତୋଷ ମିଶ୍ର କହିଛନ୍ତି, ଡୋଲୋମାଇଟ୍‌ ୱାକ୍ଫ ମେଲ୍ଟିଂ ୟୁନିଟ୍‌ରେ ଅଗ୍ନିକାଣ୍ଡ ଘଟିଥିଲା। ଏବେ ନିଆଁ ଆୟତ୍ତ ହୋଇଛି। ନିଆଁ କେମିତି ଲାଗିଲା ଓ ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି ଏହା ସ୍ପଷ୍ଟ ହୋଇନାହିଁ। ଏଥିପାଇଁ ଏକ ସତନ୍ତ୍ର ତଦନ୍ତ ଟିମ୍‌ ଗଠନ କରାଯିବ। ଏହି ଟିମ ତଦନ୍ତ କଲାପରେ ସବୁକିଛି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

Share