ଇକୋ ରିଟ୍ରିଟ୍‌ରେ ନିଆଁ

ନରସିଂହପୁର (ସ୍ବ.ପ୍ର.)/ଭୁବନେଶ୍ୱର,୧।୩(ବ୍ୟୁରୋ): କଟକ ଜିଲା ନରସିଂହପୁର ବ୍ଲକ ବାଲିପୁଟସ୍ଥିତ ସାତକୋଶିଆ ଇକୋ ରିଟ୍ରିଟ୍‌ରେ ରବିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟି ୩ ବିଳାସପୂର୍ଣ୍ଣ ଟେଣ୍ଟ ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ିଯାଇଛି। ସେଥିମଧ୍ୟରୁ ଗୋଟିଏ ଟେଣ୍ଟରେ ଶନିବାର ରାତ୍ରିଯାପନ କରିଥିବା ଆଇପିଏସ୍‌ ଅଫିସର ଦମ୍ପତି ନିଶ୍ଚିତ ବିପଦରୁ ବର୍ତ୍ତିଯାଇଛନ୍ତି। ସେମାନେ ହେଲେ ଓଡ଼ିଶା ପରିବହନ ବିଭାଗ କମିଶନର ସଞ୍ଜୀବ କୁମାର ପଣ୍ଡା ଓ ତାଙ୍କ ସ୍ତ୍ରୀ ତଥା ଗୃହ ବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା। ୨ ମାସ ପୂର୍ବେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବାଲିପୁଟ ମହାନଦୀ କୂଳରେ ଏହି ୩ ବିଳାସପୂର୍ଣ୍ଣ ଏବଂ ୨୪ ସାଧାରଣ ଟେଣ୍ଟ ନିର୍ମାଣ କରାଯାଇଥିଲା। ରବିବାର ଭୋର ସମୟରେ ହଠାତ୍‌ ୨ ବିଳାସପୂର୍ଣ୍ଣ ଟେଣ୍ଟରେ ନିଅଁା ଲାଗି ୩ୟ ଟେଣ୍ଟ ଆଡ଼କୁ ମାଡ଼ିଯାଇଥିଲା। ନିଅଁା ଲାଗିଥିବା ଜାଣିପାରି ସଞ୍ଜୀବ ଏବଂ ସନ୍ତୋଷ ସଙ୍ଗେସଙ୍ଗେ ବାହାରକୁ ଚାଲିଆସିଥିଲେ। ଇକୋ ରିଟ୍ରିଟ୍‌ କର୍ମଚାରୀ ଓ ସୁରକ୍ଷା କର୍ମୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଖବରପାଇ ନରସିଂହପୁର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସେତେବେଳକୁ ୩ ଟେଣ୍ଟରେ ଥିବା ଦାମୀ ଉପକରଣ ସମେତ ସଞ୍ଜୀବ ଏବଂ ସନ୍ତୋଷଙ୍କ ପୋଷାକ, ନିତ୍ୟ ବ୍ୟବହୃତ ସାମଗ୍ରୀ ପୋଡ଼ି ଯାଇଥିଲା। ନରସିଂହପୁର ତହସିଲଦାର ଆଲୋକ ରଞ୍ଜନ ଦେହୁରୀ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତି ଆକଳନ କରିଛନ୍ତି। ଅଗ୍ନିକାଣ୍ଡ ସମୟରେ ୧୪ ଟେଣ୍ଟରେ ୪୦ ପର୍ଯ୍ୟଟକ ଥିବା ଜଣାପଡ଼ିଛି। ଠିକାସଂସ୍ଥା ପକ୍ଷରୁ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇନାହିଁ ବୋଲି ତହସିଲଦାର ଦେହୁରୀ କହିଛନ୍ତି। ଏହି ଘଟଣାପରେ ଉଭୟ ଆଇପିଏସ୍‌ ଅଧିକାରୀ ଭୁବନେଶ୍ୱର ଫେରି ଆସିଥିବା ସୂଚନା ମିଳିଛି।
ଘଟଣା ସମ୍ପର୍କରେ ଆଇପିଏସ୍‌ ଅଫିସର ସଞ୍ଜୀବ କହିଛନ୍ତି ଯେ, ‘ଭଗବାନଙ୍କ ଆଶୀର୍ବାଦରୁ ମୁଁ ଏବଂ ସନ୍ତୋଷ ସୁରକ୍ଷିତ ଭାବେ ଅଗ୍ନିକାଣ୍ଡରୁ ବର୍ତ୍ତିଯାଇଛୁ। ବିଦ୍ୟୁତ୍‌ ଶର୍ଟସର୍କିଟ ଯୋଗୁ ସକାଳ ପ୍ରାୟ ୫ଟାରେ ଇକୋ ରିଟ୍ରିଟ୍‌ରେ ଅଗ୍ନିକାଣ୍ଡ ଘଟିଥିଲା। ବାହାରେ ପାଟିତୁଣ୍ଡ ଶୁଣି ଆମେ ବାହାରକୁ ବାହାରି ଆସିଥିଲୁ। ଏହା ପରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲୁ। ଶେଷରେ ଅନ୍ୟ ଟେଣ୍ଟରେ ଥିବା ଲୋକଙ୍କୁ ବାହାରକୁ କାଢ଼ିବାରେ ସାହାଯ୍ୟ କରିଥିଲୁ। ୩ଟି ଟେଣ୍ଟ ଜଳିଯାଇଥିବାବେଳେ କେହି ଆହତ ହୋଇନାହାନ୍ତି।’

Share