ଇଲେକ୍ଟ୍ରୋନିକ ସ୍କୁଟି ନିର୍ମାଣ କାରଖାନାରେ ଅଗ୍ନିକାଣ୍ଡ

ଚଣ୍ଡିଖୋଲ,୨।୧୦ (ଡି.ଏନ.ଏ.): ବଡ଼ଚଣା ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ବଡ଼ଚଣା ଛକ ନିକଟ ଭାରତ ବେଞ୍ଜ କମ୍ପାନୀ ପରିସରରେ ଥିବା ଏକ ଇଲୋକ୍ଟ୍ରୋନିକ ସ୍କୁଟି ନିର୍ମାଣକାରୀ କମ୍ପାନୀ ଇଭିଇ କାରଖାନାରେ ଶନିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହୋଇଛି। ମାତ୍ର ଏହି କ୍ଷୟକ୍ଷତି ସମ୍ପର୍କରେ କମ୍ପାନୀ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇନାହାନ୍ତି। ଚଣ୍ଡିଖୋଲ ଅଗ୍ନିଶମ ବାହିନୀ କମର୍ଚାରୀ କମ୍ପାନୀ ପରିସରରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଶନିବାର ସକାଳ ୬ଟା୩୦ରେ ସେଠାରୁ ବ୍ୟାପକ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଫଳରେ ସଙ୍ଗେସଙ୍ଗେ କମ୍ପାନୀ ଅଧିକାରୀମାନେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ସ୍ଥାନୀୟ ଲୋକ ଓ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚି ଥିଲେ ମଧ୍ୟ କାହାରିକୁ ଭିତରକୁ ଛଡ଼ା ଯାଇ ନ ଥିଲା। ଗେଟ ତାଲା ପଡ଼ିଥିଲା। ଅଗ୍ନିଶମ ବାହିନୀର କହିବା କଥା ବ୍ୟାଟେରୀ ରହିଥିବା ଗୋଦାମ ଘରୁ ସର୍ଟ ଶର୍କିଟ ଯୋଗୁଁ ନିଆଁ ବ୍ୟାପିଥିଲା। ତେବେ କମ୍ପାନୀର କର୍ମଚାରୀମାନେ ଗେଟ ବାହାରକୁ ଆସିଥିଲେ ମଧ୍ୟ କେହି କିଛି ସୂଚନା ନ ଦେଇ ପଳାଇ ଥିଲେ, ଯାହାକୁ ନେଇ ସନ୍ଦେହ ଘନିଭୂତ ହୋଇଥିଲା। କମ୍ପାନୀର କାର୍ଯ୍ୟ କଳାପ ସନ୍ଦେହ ନେଇ ଫାଟକ ବାହାରେ ରହିଥିବା ଲୋକମାନେ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଥିଲା।