ପିଆର୍‌ଏମ ମେଡିକାଲରେ ନିଆଁ

ବାରିପଦା,୧୮।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ସଦରମହକୁମା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ(ପିଆର୍‌ଏମ) ମେଡିକାଲ କଲେଜ ଓ ହସ୍ପିଟାଲର ୭ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି। ୩ୟ ମହଲାରୁ ଧୂଆଁ ବାହାରକୁ ବ୍ୟାପିବା ପରେ ଆତଙ୍କ ଖେଳିଯାଇଛି । ଖବରପାଇ ବାରିପଦା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି ।
ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନରେ ସାତ ମହଲା କୋଠାର ତିନି ନମ୍ବର ମହଲାରେ ଥିବା ମହିଳା ପ୍ରସୂତୀ ବିଭାଗର ଅପରେଶନ ଥିଏଟରରୁ ନିଆଁ ଲାଗିଥିଲା। ଧୂଆଁ ବାହାରକୁ ବାହାରିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ଧିରେ ଧିରେ ଧୂଆଁ ବୃଦ୍ଧି ପାଇବାରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାରେ ଲାଗିଛନ୍ତି । ଖବରପାଇ ପୋଲିସ ପହଞ୍ଚିଛନ୍ତି । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ତେବେ ଉକ୍ତ ୩ ମହଲାରେ ଶିଶୁ ବିଭାଗ ରହିଥିବା ବେଳେ ରୋଗୀ ଓ ସମ୍ପର୍କୀୟମାନେ ତଳକୁ ଆସିଛନ୍ତି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କେହି ମୃତାହତ ହୋଇ ନାହାନ୍ତି । ଘଟଣାସ୍ଥଳରେ ମୟୂରଭଞ୍ଜ ଏସ୍‌ପି ବି ଗଙ୍ଗାଧର, ବାରିପଦା ଏସ୍‌ଡିପିଓ ସୁଜିତ ପ୍ରଧାନ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଓ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ପହଞ୍ଚି ଭାରପ୍ରାପ୍ତ ଜିଲା  ମୁଖ୍ୟ ଚିକିତ୍ସାଧିକାରୀ ଡା ଜ୍ଞାନେନ୍ଦ୍ର ମହାନ୍ତିଙ୍କ ସହିତ ଆଲୋଚନା କରି ପରିସ୍ଥିତି ନିୟନ୍ତ୍ରଣ କରୁଛନ୍ତି ।