
ବ୍ରହ୍ମପୁର,୧୩ା୪(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁରର ବଡ଼ବଜାର ଥାନା ବାଛୁବାରୀ ସାହିରେ ରବିବାର ଭୋର୍ରୁ ଏକ ପନିପରିବା ଟ୍ରେ’ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଖବର ମିଳିବା ପରେ ବ୍ରହ୍ମପୁର ଅଗ୍ନିଶମ ବିଭାଗ ପକ୍ଷରୁ ଯାଇ ନିଆଁକୁ ଆୟତ୍ତ କରାଯାଇଛି। ଏ ସଂକ୍ରାନ୍ତରେ ସହକାରୀ ଅଗ୍ନିଶମ ଅଧିକାରୀ ଠାକୁର ପ୍ରସାଦ ଦଳାଇ କୁହନ୍ତି ଯେ, ଉକ୍ତ ସାହିରେ ସୁଦର୍ଶନ ସାହୁଙ୍କ ଟ୍ରେ’ ଗୋଦାମ ରହିଛି। ନିଆଁ ଲାଗିବା ଜାଣିବା ପରେ ୨ଟି ଗାଡ଼ି ଘଟଣାସ୍ଥଳକୁ ପଠାଇ ନିଆଁକୁ ଆୟତ୍ତ କରାଯାଇଛି। ଅନ୍ୟପଟେ ଗୋଦାମ ମାଲିକ ସୁଦର୍ଶନ ସାହୁ କହିଛନ୍ତି ଯେ, ୧୦ ଲକ୍ଷ ଟଙ୍କାର ସାମଗ୍ରୀ ଓ ଘରକରଣା ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ସବୁଠୁ ବଡ଼ କଥା ହେଲା ଦେଶୀବେହେରା ସାହି ପଛରେ ଉକ୍ତ ସାହି ରହିଛି। ଯାତ୍ରା ଚାଲିଛି। ଭୋର୍ ହୋଇଥିବାରୁ ବଡ଼ ଅଘଟଣରୁ ସମସ୍ତେ ବର୍ତ୍ତିଯାଇଥିଲେ। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହାର ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।