୧୯ ମହଲା କୋଠାରେ ଅଗ୍ନିକାଣ୍ଡ, ୯ ଶିଶୁଙ୍କ ସମେତ ୧୯ ଜୀବନ୍ତ ଦଗ୍ଧ…

ନ୍ୟୁୟର୍କ, ୧୦।୧ : ଆମେରିକାର ନ୍ୟୁୟର୍କ ସହରରେ ଏକ ୧୯ ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୯ ଶିଶୁଙ୍କ ସମେତ ୧୯ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୩୨ ଜଣ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସ୍ଥାନୀୟ ବ୍ରାକ୍ସ୍‌ ବୋର ଅଞ୍ଚଳରେ ଥିବା ଆପାର୍ଟମେଣ୍ଟ୍‌ରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ମେୟର ଏରିକ୍‌ ଏଡମ୍ସ୍‌ ସୂଚନା ପ୍ରଦାନ କରିଛନ୍ତି। ଏଥିରେ ୨୨ ଜଣ ଲୋକ ସମାନ୍ୟ ଆହତ ହୋଇଥିବା ସେ କହିଛନ୍ତି।

ଆପାର୍ଟମେଣ୍ଟ୍‌ର ଦ୍ୱିତୀୟ ଏବଂ ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ଝରକା ଏବଂ କବାଟ ଖୋଲା ଥିବାରୁ ଏହା ଅନ୍ୟ ମହଲାକୁ ବ୍ୟାପିଥିବା ପୋଲିସ ପକ୍ଷରୁ କୁହାଯାଇଛି। ପ୍ରବଳ ଧୂଆଁରେ ଛୋଟ ଶିଶୁ ଏବଂ କେତେକ ଲୋକ ରୁନ୍ଧି ହୋଇ ଶ୍ୱାସରୁଦ୍ଧ ହୋଇଥିବା କୁହାଯାଉଛି।

ଖବର ପାଇ ୩ଟି ଦମକଳ ଗାଡ଼ି ୩ ମିନିଟ୍‌ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

Share