ସଂସଦ ଭବନରେ ଲଗାଇଲେ ନିଆଁ, ୩୬ ଘଣ୍ଟିଆ ଲକ୍‌ଡାଉନ୍‌ ଘୋଷଣା…

ହୋନିଆରା,୨୫।୧୧: ପ୍ରଶାନ୍ତ ମହାସାଗରରେ ଥିବା ସୋଲୋମନ ଦ୍ୱୀପରେ ପ୍ରଧାନମନ୍ତ୍ରୀଙ୍କୁ ହଟାଇବାକୁ ଦାବି କରୁଥିବା ବିକ୍ଷୋଭକାରୀମାନେ ସଂସଦ ଭବନ ଏବଂ ପୋଲିସ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି। ହିଂସା ଏବଂ ଲୁଟ ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ପ୍ରଦର୍ଶନକାରୀଙ୍କୁ ଘଉଡାଇବା ଲାଗି ଲୁହବୁହା ଗ୍ୟାସ ଏବଂ ରବର ଗୁଳି ବ୍ୟବହାର କରାଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜଧାନୀ ହୋନିଆରାରେ ୩୬ ଘଣ୍ଟା ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ବିକ୍ଷୋଭକାରୀମାନେ ଅନେକ ଦୋକାନ ଲୁଟି ନେଇଛନ୍ତି।

ଏହାକୁ ନେଇ ଦେଶରେ ଉତ୍ତେଜନା ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ମନାସେହ ସୋଗୱେର୍‌ ଦେଶକୁ ସମ୍ବୋଧିତ କରି ରାଜଧାନୀରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଦ୍ୱୀପପୁଞ୍ଜର ସବୁଠାରୁ ଜନବହୁଳ ଦ୍ୱୀପ ମଲୈଟାର ଲୋକମାନେ ରାଜଧାନୀରେ ପହଞ୍ଚି କେତେକ ଘରୋଇ ପ୍ରସଙ୍ଗରେ ଉପରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନ ହେବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ବିକାଶ ଦୌଡ଼ରେ ପଛରେ ରହି ଯାଇଥିବାରୁ ମଲୈଟାବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୨୦୧୯ରେ ତାଇୱାନ ସହ ସମ୍ପର୍କ ଭାଙ୍ଗି ଚାଇନା ସହ ସମ୍ପର୍କ ସ୍ଥାପନ କରିବା ପରେ ସୋଲୋମନ ଦ୍ୱୀପପୁଞ୍ଜ ବହୁ ଚାପର ସମ୍ମୁଖୀନ ହୋଇଛି। ପ୍ରଧାନମନ୍ତ୍ରୀ ସୋଗୱେର୍‌ କହିଛନ୍ତି ଯେ ଆମ ଦେଶ ଆଉ ଏକ ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ଘଟଣାର ସାକ୍ଷୀ ହୋଇଛି ଯେଉଁଥିରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରକୁ ହଟାଇବାକୁ ଚେଷ୍ଟା କରାଯାଉଛି।

ପ୍ରଧାନମନ୍ତ୍ରୀ ସୋଗୱେର୍‌ କହିଛନ୍ତି ମୁଁ ଭାବୁଥିଲି ଯେ ଇତିହାସର ସବୁଠାରୁ ଖରାପ ଦିନ ବିତି ଯାଇଛି। କିନ୍ତୁ ଏବେ ଜାରି ରହିଥିବା ଘଟଣାରୁ ଜଣାପଡୁଛି ଆମକୁ ଆହୁରି ଅନେକ ବାଟ ଯିବାକୁ ବାକି ରହିଛି। ସେ କହିଛନ୍ତି ଯେ ଲକଡାଉନ ଶୁକ୍ରବାର ସକାଳ ୭ଟା ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଯେଉଁମାନେ ହିଂସା ଘଟାଇଥିବେ ସେମାନଙ୍କୁ ଖୋଜାଯିବ ଏବଂ ଭବିଷ୍ୟତରେ ଏହା ଯେପରି ନ ହୁଏ ସେଥିପାଇଁ ଚେଷ୍ଟା କରାଯିବ। ବିକ୍ଷୋଭକାରୀମାନେ ଜଣେ ଚାଇନା ବ୍ୟକ୍ତିଙ୍କ ଦୋକାନ ମଧ୍ୟ ଲୁଟ କରିଥିବା ପୋଲସ ପକ୍ଷରୁ କୁହାଯାଇଛି।

Share