ଗୋଡ଼ିସାହି ଜଙ୍ଗଲରେ ନିଆଁ

ବାରଙ୍ଗ,୧୭।୨(ଡି.ଏନ୍‌.ଏ.): ଗୋଡ଼ିସାହି ଫାଣ୍ଡି ଅଧୀନ ଏନ୍‌ଡିଆର୍‌ଏଫ୍‌ କ୍ୟାର୍ଯ୍ୟାଳୟ ପଛପଟ ଜଙ୍ଗଲରେ ଗୁରୁବାର ପୂର୍ବାହ୍ନରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ବହୁ ମୂଲ୍ୟବାନ ଗଛ ନଷ୍ଟ ହୋଇଯାଇଛି। ପୂର୍ବାହ୍ନ ୧୧ଟା ପାଖାପାଖି କେହି ଦୁର୍ବୃତ୍ତ ଏନ୍‌ଡିଆର୍‌ଏଫ୍‌ ପଛପଟେ ଥିବା ରାସ୍ତାକଡ଼ରେ ପଡ଼ିଥିବା କିଛି ଶୁଖିଲାପତ୍ରକୁ ନିଆଁ ଲଗାଇ ଦେଇଥିଲା। ଏହି ନିଆଁ ଏତେ ମାତ୍ରା ବଢିଯାଇଥିଲା ଯେ, ତାହା ଜଙ୍ଗଲକୁ ବ୍ୟାପିଯାଇଥିଲା। ଧୀରେ ଧୀରେ ପ୍ରାୟ ୫ ଏକର ପରିମିତ ଜଙ୍ଗଲରେ ନିଆଁ ବ୍ୟାପି ଯାଇଥିଲା। ଫଳରେ ସମଗ୍ର ଅଞ୍ଚଳଟି ଧୂଆଁମୟ ହେବା ସହିତ ନିକଟରେ ଥିବା ଚନ୍ଦକା ଡମପଡ଼ା ଅଭୟାରଣ୍ୟ ଆଡ଼କୁ ନିଆଁ ବ୍ୟାପିବା ଆରମ୍ଭ କରିଥିଲା। ଏହାଦେଖି ସ୍ଥାନୀୟ ଲୋକେ ବାରଙ୍ଗ ଦମକଳ ବାହିନୀକୁ ଖବର ଦେବାରୁ ସେମାନେ ଆସି ପ୍ରାୟ ୨ ଘଣ୍ଟା କାଳ ପରିଶ୍ରମ କରି ନିଆଁକୁ ଲିଭାଇଥିଲେ।

Share