ହନୋଇର ୯ ମହଲା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ବହୁ ମୃତ…

ହନୋଇ,୧୩।୯ : ମଙ୍ଗଳବାର ରାତିରେ ଭିଏତନାମର ରାଜଧାନୀ ହନୋଇର ଏକ ନଅ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁ ଏତେ ଭୟଙ୍କର ଥିଲା ଯେ ୫୦ରୁ ଅଧିକ ଲୋକ ଜୀବନ ଦଗ୍ଧ ହୋଇଥିବା କୁହାଯାଉଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହାନୋଇର ଥାନ ଜୁଆନ ଜିଲାର ଏକ ଆପାର୍ଟମେଣ୍ଟର ପାର୍କିଂ ଫ୍ଲୋରରେ ମଙ୍ଗଳବାର ରାତି ୧୧ଟା ୫୦ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ପରେ ଏହି ଅଗ୍ନି ଶୀଘ୍ର ସମଗ୍ର କୋଠାକୁ ଜାଳି ଦେଇଥିଲା।

ଖୋଙ୍ଗ ହୋ ଛକ ନିକଟରେ ଥିବା ଏକ ସଂକୀର୍ଣ୍ଣ ଗଳିିରେ ବିଲ୍ଡିଂର ଥିବାରୁ ଉଦ୍ଧାରକାରୀ ଦଳ ପହଞ୍ଚିବା କଷ୍ଟକର ହୋଇପଡିଥିଲା।

୨୦୦ ବର୍ଗ ମିଟର ଉପରେ ବିସ୍ତାର ହୋଇଥିବା ବିଲ୍ଡିଂରେ ୧୫୦ ଲୋକ ବାସ କରୁଥିଲେ। କୁହାଯାଉଛି ବୁଧବାର ଭୋର ୫ ଟା ପର୍ଯ୍ୟନ୍ତ ଆପାର୍ଟମେଣ୍ଟରୁ ୭୦ ଜଣଙ୍କୁ ଉଦ୍ଧାର କରାଯାଇଛି। ସେଥିମଧ୍ୟରୁ ୫୪ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ଅନେକଙ୍କର ମୃତ୍ୟୁ ଘଟିଛି। ଯଦିଓ ପ୍ରକୃତ ମୃତ୍ୟୁ ସଂଖ୍ୟା ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ ।

ଭିଏତନାମର ଏକ ନ୍ୟୁଜ ଏଜେନ୍ସି ଅନୁଯାୟୀ, ଆପାର୍ଟମେଣ୍ଟରେ ନିଆଁ ଲାଗିଥିଲା। ବୁଧବାର ସକାଳେ ନିଆଁକୁ ନିୟନ୍ତ୍ରଣ କରାଯାଇଛି। ଉଦ୍ଧାରକାରୀ ଦଳ ବଞ୍ଚିଥିବା ଲୋକଙ୍କୁ ଖୋଜୁଛନ୍ତି। ଏହା ମଧ୍ୟ କୁହାଯାଇଛି ଉଦ୍ଧାରକାରୀଙ୍କୁ ଏହି ବିଲ୍ଡିଂରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିଛି।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ସେ ଶୋଇବା ସମୟରେ ଧୂଆଁ ବାହାରୁଥିଲା। ଯେତେବେଳେ ସେ ବାହାରେ ଚାହିଁଲେ ସେଠାରେ ନିଆଁ ଲାଗିଥିବାର ଦେଖିଥିଲେ। କେତେକ ପରିବାର ସଦସ୍ୟଙ୍କୁ ଦଉଡି ବ୍ୟବହାର କରି ଶୀଘ୍ର ଓହ୍ଲାଇ ଦିଆଯାଇଥିଲା। ଆପାର୍ଟମେଣ୍ଟର ପଞ୍ଚମ ଏବଂ ଷଷ୍ଠ ମହଲାରେ ନିଆଁ ଜଳୁଥିବାର ଦେଖାଯାଇଛି। ଲୋକମାନେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ। ତୁରନ୍ତ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

Share