
ଭୁବନେଶ୍ୱର,୩୧ା୧(ବନ୍ଦନା ସେଠୀ): ୨୦୨୩-୨୪ ବନାଗ୍ନି ଋତୁରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଉତ୍ତରାଖଣ୍ଡ ପ୍ରଥମ ଏବଂ ଛତିଶଗଡ଼ ତୃତୀୟ ସ୍ଥାନରେ ରହିଛି। ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍ଏସ୍ଆଇ)ର ରିପୋର୍ଟ ଅନୁଯାୟୀ, ୨୦୨୩ରେ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ୩୬,୭୧୩ଟି ସ୍ଥାନରେ ନିଅଁା ଲାଗିଥିବାବେଳେ ୨୦୨୪ରେ ୨୨,୮୬୮ଟି ଫାୟାର ପଏଣ୍ଟ ଚିହ୍ନଟ ହୋଇଛି।
୨୦୨୩ ଅନୁପାତରେ ଗତବର୍ଷ ରାଜ୍ୟରେ କମ୍ ନିଅଁା ଲାଗିଥିଲେ ମଧ୍ୟ ଏବର୍ଷ ଏଥିରେ ରୋକ୍ ଲଗାଇବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଖରାଦିନ ଆରମ୍ଭ ନ ହେଉଣୁ ଏବେଠାରୁ ରାଜ୍ୟର ଅନେକ ଜଙ୍ଗଲରେ ନିଅଁା ଲାଗିବା ଆରମ୍ଭ ହେଲାଣି। ଗତ ସପ୍ତାହକ ମଧ୍ୟରେ ରାଜ୍ୟର ୧୮୧ଟି ସ୍ଥାନରେ ନିଅଁା ଲାଗିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜାନୁଆରୀ ୨୪ରେ ୧୪ଟି ସ୍ଥାନରେ ନିଆଁ ଲାଗିଥିବାବେଳେ ୨୫ ତାରିଖରେ ୧୬, ୨୬ରେ ୩୫, ୨୭ରେ ୩, ୨୮ରେ ୭୬, ୨୯ରେ ୧୭ ଏବଂ ୩୦ ତାରିଖରେ ୨୦ଟି ସ୍ଥାନରେ ନିଆଁ ଲାଗିଛି।
ଏଥିମଧ୍ୟରେ କନ୍ଧମାଳ ଜିଲାର ବାଲିଗୁଡା ଓ କନ୍ଧମାଳ ଫରେଷ୍ଟ ଡିଭିଜନ, ରାୟଗଡ଼ା ଏବଂ ପାରଳାଖେମୁଣ୍ଡି ଡିଭିଜନରେ ସର୍ବାଧିକ ନିଅଁା ଲାଗିଥିବା ଜଣାପଡ଼ିଛି। ଗତବର୍ଷର ରିପୋର୍ଟକୁ ଦେଖିଲେ, ଜାନୁଆରୀ ୧ରୁ ଜୁନ୍ ୩୦ ମଧ୍ୟରେ ୨୨,୮୬୮ଟି ପଏଣ୍ଟ ବା ସ୍ଥାନରେ ନିଆଁ ଲାଗିଥିଲା। କୋରାପୁଟ ସର୍କଲର ରାୟଗଡ଼ା ଡିଭିଜନରେ ସର୍ବାଧିକ ୨୯୩୦ଟି ସ୍ଥାନରେ ନିଆଁ ଲାଗିଥିବାବେଳେ ୭୦୬ଟି ସ୍ଥାନରେ ଦିନକରୁ ଅଧିକ ସମୟ ଧରି ରହିଥିଲା।
ସେହିପରି ମାଲକାନଗିରି ଡିଭିଜନର ୨,୮୬୨ଟି ସ୍ଥାନ, ବାଲିଗୁଡା ଡିଭିଜନର ୨,୫୩୦ଟି, କୋରାପୁଟ ଡିଭିଜନର ୧,୨୩୪ଟି, କଳାହାଣ୍ଡି (ଦକ୍ଷିଣ) ଡିଭିଜନର ୧,୧୧୬ଟି, ପାରଳାଖେମୁଣ୍ଡି ଡିଭିଜନର ୯୨୧ଟି, ଜୟପୁରର ୮୬୭ଟି, କଳାହାଣ୍ଡି (ଉତ୍ତର)ର ୭୯୩ଟି, କେନ୍ଦୁଝରର ୭୬୯ଟି, ନବରଙ୍ଗପୁରର ୭୧୮ଟି ସ୍ଥାନ ଭଳି ୫୧ଟି ଫରେଷ୍ଟ ଡିଭିଜନ୍ର ୨୨,୬୮୬ଟି ସ୍ଥାନରେ ନିଅଁା ଲାଗିଥିଲା। ସେଥିମଧ୍ୟରୁ ୬,୦୪୭ଟି ସ୍ଥାନରେ ଦିନକରୁ ଅଧିକ ସମୟ ଧରି ନିଆଁ ଲାଗି ରହିଥିଲା।
ବିଭିନ୍ନ କାରଣରୁ ଓଡ଼ିଶାର ଜଙ୍ଗଲରେ ନିଆଁ ଲାଗୁଛି। କନ୍ଧମାଳ, ରାୟଗଡ଼ା ଏବଂ ପାରଳାଖେମୁଣ୍ଡି ଭଳି ବାରମ୍ବାର ନିଆଁ ଲାଗୁଥିବା ଅଞ୍ଚଳର ଅଧିବାସୀମାନେ ପୋଡ଼ୁଚାଷ ପାଇଁ ନିଆଁ ଲଗାଇବା ସମୟରେ ଏହା ବିଭିନ୍ନ ଅଞ୍ଚଳକୁ ବ୍ୟାପୀ ଯାଇଥାଏ। ସେହିଭଳି ବନାଞ୍ଚଳରେ ରହୁଥିବା ଅଧିକାରୀ, ଶିକାରୀ ଓ ପର୍ଯ୍ୟଟକଙ୍କ ଦ୍ୱାରା ଜଙ୍ଗଲରେ ନିଆଁ ଲାଗୁଥିବା କୁହାଯାଉଛି।
ତେବେ ଜଙ୍ଗଲ ନିଅଁାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଯଥେଷ୍ଟ ହୋଇପାରୁ ନାହିଁ। ଫାୟାର ଆକ୍ସନ ପ୍ଲାନ, ଫାୟାର ଲାଇନ୍ କିମ୍ବା ସଚେତନତା ଆଦି କାର୍ଯ୍ୟକ୍ରମ କରାଯାଉଛି। ସେହିପରି ଏଫ୍ଏସ୍ଆଇ ପକ୍ଷରୁ ୨୦୦୪ ମସିହାରୁ ସାଟେଲାଇଟ୍ ଜରିଆରେ ନିଅଁା ଲାଗିଥିବା ସ୍ଥାନ ଚିହ୍ନଟ କରାଯାଉଛି। ଏସ୍ଏନ୍ପିପି ଏବଂ ଏମ୍ଓଡିଆଇଏସ୍ (ମୋଡିସ୍) ସାଟେଲାଇଟ୍ ଦିନରେ ୪ଥର ଅର୍ଥାତ୍ ପୂର୍ବାହ୍ନ ୧୦ଟା, ଅପରାହ୍ନ ୧ଟା, ରାତି ୧୦ଟା ଏବଂ ରାତି ୧ଟାରେ ଫଟୋ ଉଠାଇ ବନ ବିଭାଗ ପାଖକୁ ପଠାଇଥାଏ। ମାତ୍ର ସାଟେଲାଇଟ୍ରୁ ଫଟୋ ପାଇ ତାହାକୁ ଲିଭାଇବାକୁ ଗଲାବେଳକୁ ନିଅଁା ବ୍ୟାପିଯାଉଛି। ଫଳରେ ଏହାକୁ ଆୟତ୍ତ କରିବା ବିଭାଗ ପାଇଁ କଷ୍ଟକର ହୋଇପଡୁଛି।
ଅପରପକ୍ଷେ ସାତକୋଶିଆ, ଢେଙ୍କାନାଳର ହିନ୍ଦୋଳ, ଅନୁଗୋଳର ବନ୍ତଳା, ଡେବ୍ରିଗଡ଼ ଭଳି ଜଙ୍ଗଲରେ ଏଆଇ କ୍ୟାମେରା ଲାଗିବା ନେଇ ପ୍ରସ୍ତାବ ରହିଥିଲା। ମାତ୍ର ଆଜିଯାଏ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ଏଆଇ କ୍ୟାମେରା ଲାଗିଲେ ଜଙ୍ଗଲ ନିଆଁ ସମେତ ଜୀବଜନ୍ତୁ ଶିକାର, ଶିକାରୀଙ୍କ ଗତିବିଧି ଏବଂ ଅନ୍ୟାନ୍ୟ ଦିଗ ଉପରେ ନଜର କରିହେବ। ମାତ୍ର ବନ ବିଭାଗ ଏ ଦିଗରେ ଯଥେଷ୍ଟ ଧ୍ୟାନ ଦେଉ ନ ଥିବାରୁ ପରିବେଶବିତ୍ମାନେ ଉଦ୍ବେଗ ପ୍ରକାଶ କରିଛନ୍ତି।
ଏନେଇ ପିସିସିଏଫ୍ ତଥା ହେଡ୍ ଅଫ୍ ଫରେଷ୍ଟ ଫୋର୍ସ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି, ଜାନୁଆରୀରୁ ଜୁନ୍ ମଧ୍ୟଭାଗ ପର୍ଯ୍ୟନ୍ତ ସାଧାରଣତଃ ଜଙ୍ଗଲରେ ନିଆଁ ଲାଗିଥାଏ। ତେବେ ମାର୍ଚ୍ଚରୁ ଏପ୍ରିଲ୍ ହେଉଛି ଜଙ୍ଗଲ ନିଆଁର ପିକ୍ ସମୟ। ଜଙ୍ଗଲ ନିଆଁ ପାଇଁ ବନବିଭାଗ ଯଥେଷ୍ଟ ସଚେତନ ରହିଛି। ପ୍ରତ୍ୟେକ ଜିଲାରେ ଫାୟାର ଆକ୍ସନ ପ୍ଲାନ ସହିତ ଫାୟାର ଲାଇନ୍ ତିଆରି କରାଯାଉଛି। ଫାୟାର ଲାଇନ୍ ଅନ୍ତର୍ଗତ ଜଙ୍ଗଲ ମଧ୍ୟରେ ଗୋଟେ ଗୋଟେ ସ୍ଥାନରେ ଘାସକୁ କାଟିଦିଆଯାଏ। ଏହାଦ୍ୱାରା ଜଙ୍ଗଲରେ ନିଅଁା ଲାଗିଲେ ତାହା ବ୍ୟାପିବାରେ ସମର୍ଥ ହୋଇ ନ ଥାଏ।
ସାଟେଲାଇଟ୍ ଜରିଆରେ ନିଆଁ ଲାଗିବା ନେଇ ସୂଚନା ପାଇଲେ ତୁରନ୍ତ ତାହା ଆପ୍ ମାଧ୍ୟମରେ ବନ କର୍ମଚାରୀଙ୍କ ପାଖକୁ ମେସେଜ୍ ଯାଇଥାଏ। ଏଥିପାଇଁ ୭ହଜାର ପଞ୍ଜୀକୃତ ମୋବାଇଲ ରହିଛି। ନିଆଁ ଲିଭାଯିବା ପରେ ଫଟୋ ଉଠାଇ ଓ୍ବେବ୍ସାଇଟ୍ରେ ଅପଲୋଡ୍ କରାଯାଉଛି। ରାଜ୍ୟରେ ୨୭୦ ଫାୟାର ସ୍କ୍ବାଡ୍ ରହିଛନ୍ତି। ଗାଡ଼ି ସମେତ ସେମାନଙ୍କୁ ସୁରକ୍ଷା କିଟ୍ ପ୍ରଦାନ କରାଯାଉଛି। ଏବେ କେବଳ ଶିମିଳିପାଳ ଜଙ୍ଗଲରେ ୫ଟି ଏଆଇ କ୍ୟାମେରା ଲାଗିଥିବାବେଳେ ଖୁବ୍ଶୀଘ୍ର ସାତକୋଶିଆ, ହିନ୍ଦୋଳ ଏବଂ ଅନ୍ୟାନ୍ୟ ପ୍ରସ୍ତାବିତ ଅଞ୍ଚଳରେ ଏଆଇ କ୍ୟାମେରା ଲଗାଯିବ ବୋଲି ବିଶ୍ୱାଳ କହିଛନ୍ତି।