ବୋଲଗଡ଼,୨୦।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ସାନପଦର ଜକଲା କାଜୁ ଜଙ୍ଗଲରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ପ୍ରାୟ ୫ ଏକର ପରିମିତ ଅଞ୍ଚଳରେ ଥିବା ବହୁ ଗଛଲତା ପୋଡ଼ିଯାଇଛି। ଖବରପାଇ ବୋଲଗଡ଼ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। ଏହି ଜଙ୍ଗଲରେ କାଜୁ, ଆକାଶିଆ, ପଟାସ ଆଦି ଗଛ ରହିଥିବା ବେଳେ ଏକ ବଡ ଧରଣର ଅଗ୍ନିକାଣ୍ଡରୁ ରକ୍ଷା ପାଇଯାଇଛି। ଗୁରୁବାର ଆରିକମା ପଞ୍ଚାୟତ ଠଣାପଲ୍ଲୀ ଜଙ୍ଗଲ ଏବଂ କୋଶଳାଶୁଣି ଶାଳ ଜଙ୍ଗଲରେ ନିଆଁ ଲାଗିଥିଲା। କୋଶଳାଶୁଣି ଶାଳ ଜଙ୍ଗଲରେ ୪ଦିନରେ ୩ଥର ନିଆଁ ଲାଗି ପ୍ରାୟ ୧୦ ଏକର ପରିମିତ ଜଙ୍ଗଲ ପୋଡିଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ କୌଣସି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକ, ବନ କର୍ମଚାରୀ, ବୋଲଗଡ଼ ଓ କଳାପଥର ଅଗ୍ନିଶମ କର୍ମଚାରୀ ଏବଂ ସ୍ବତନ୍ତ୍ର  ନିଆଁ ଲିଭା ସ୍କ୍ବାଡ୍‌ଙ୍କ ମିଳିତ ଉଦ୍ୟମରେ ସମସ୍ତ ସ୍ଥାନରେ ନିଆଁ ବ୍ୟାପିବା ଆଗରୁ ଆୟତ୍ତ କରାଯାଇଛି।

Share