କାର୍ତ୍ତିକ ପୂର୍ବରୁ ପରିବା ଦରରେ ନିଆଁ

ବ୍ରହ୍ମପୁର,,୧୬।୧୦(ସ୍ମୃତି ରଞ୍ଜନ ମହାଲିକ):କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ମହଙ୍ଗା ହୋଇଛି। ମଧ୍ୟବିତ୍ତ ଓ ଗରିବ ପରିବାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କିଛି ଦିନ ପରେ ହବିଷିଆଳିଙ୍କ ବ୍ରତ ଆରମ୍ଭ ହେବ। ଏହି ସମୟରେ ସାଧାରଣ ଜନତା ମଧ୍ୟ ଆମିଷ ବଦଳରେ ନିରାମିଷକୁ ଆପଣାଇବେ। କିନ୍ତୁ ଆରମ୍ଭରୁ ଏଭଳି ଦର ବୃଦ୍ଧି ଅସହ୍ୟ ହୋଇଛି। ସହରରେ ଗେଟ ବଜାର, କମାପଲୀ, ବିଜିପୁର ଓ ବଡ ବଜାର ଭଳି ଅଂଚଳର ମାର୍କେଟଗୁଡିକରେ ଟମାଟୋ କେଜି ୮୦ ଟଙ୍କା, ବାଇଗଣ ୮୦, ଭେଣ୍ଡି ୭୦, ବିନସ ୧୧୦, ପୋଟଳ ୮୦, ଗାଜର ୭୦, ବନ୍ଧା କୋବି ୮୦ ଓ ଫୁଲ କୋବି ୮୦ ଟଙ୍କା ରହିଛି। ଆମଦାନୀ କମିଥିବାରୁ ଦର ବୃଦ୍ଧି ହେଉଥିବା ବ୍ୟବସାୟୀମାନେ କହିଛନ୍ତି। ସ୍ଥାନୀୟ ଅଂଚଳରୁ ପୂର୍ବ ଭଳି ପରିବା ଆମଦାନୀ ହେଉ ନାହିଁ। ଯାହା ବି ହେଉଛି କମ ପରିମାଣର ଆସୁଛି। ଏହା ମଧ୍ୟ ଦର ବୃଦ୍ଧିର ଆଉ ଏକ କାରଣ ବୋଲି ବ୍ୟବସାୟୀ କାର୍ତ୍ତିକ ପ୍ରଧାନ କହିଛନ୍ତି। ଫଳରେ ବ୍ୟବସାୟୀ ପଡୋଶୀ ଆନ୍ଧ୍ର, ବାଙ୍ଗାଲୋର, ଦିଲୀ, କଲିକତା ଭଳି ବାହାର ରାଜ୍ୟ ଉପରେ ପରିବା ପାଇଁ ନିର୍ଭରଶୀଳ ହେଉଛନ୍ତି। କାର୍ତ୍ତିକ ମାସରେ ଦର ଆହୁରି ବଢିବ ବୋଲି ବ୍ୟବସାୟୀ ମହଲରୁ ସୂଚନା ମିଳିଛି। ତେବେ ଦର ବୃଦ୍ଧିକୁ ନିୟନ୍ତ୍ରଣ ଓ ରେଗୁଲେସନ କରିବା କ୍ଷେତ୍ରରେ ସରକାରଙ୍କ ନିକଟରେ କାୈଣସି ନିର୍ଦ୍ଦିଷ୍ଟ ଯୋଜନା ନ ଥିବା ସହରତଳି ଅଂଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି। ଏଥିସହ କମିଟି ପକ୍ଷରୁ ଜିଲାପାଳ ଓ ଉପଜିଲାପାଳଙ୍କୁ ଇ ମେଇଲ ମାଧ୍ୟମରେ ଦାବି ପତ୍ର ପ୍ରଦାନ କରାଯାଇଛି। ପନିପରିବା ଫସଲର ଚାହିଦା, ଉପତ୍ାଦ ଓ ଯୋଗାଣର ନିୟମିତ ସର୍ଭେ କରାଯାଉ। ହଳଦିଆପଦର ଓଭରବ୍ରିିଜ ତଳେ ଥିବା ପନିପରିବା ହୋଲସେଲ ବଜାର ଉପରେ ଚଢାଉ କରାଯାଇ ନିୟମିତ ଯାଂଚ ପାଇଁ ଦାବି ହୋଇଛି। ଏଥିସହ ଯୋଗାଣ ବିଭାଗ ସକ୍ରିୟ ହୋଇ ବଜାର ଦର ଓ କୃତ୍ରିମ ଭାବେ ମହଜୁଦ କରି ଅଭାବୀ ବିକ୍ରି ସୃଷ୍ଟି କରୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ ନଜର ରଖିବା ଓ ପନିପରିବା ଫସଲର ମଣ୍ଡି ଖୋଲିବା ପାଇଁ କମିଟି ଦାବି କରିଛି। ନଚେତ ଆଗାମୀ ଦିନରେ କମିଟି ଆନ୍ଦୋଳନ କରିବ ବୋଲି କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

Share