ବ୍ରହ୍ମପୁର ଅଫିସ,୬।୪: ବଡବଜାର ଥାନା ଅଧୀନ ରଜାଗୁର୍ଜିରେ ଥିବା ଏକ ପ୍ଲାଷ୍ଟିକ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଶର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ କର୍ମଚାରୀଙ୍କ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି।
ମିଳିଥିବା ସୂଚନା ମୁତାବକ, ରଜାଗୁର୍ଜିରେ ଥିବା କେ. ବଦ୍ରିନାରାୟଣଙ୍କ ଏକ ପ୍ଲାଷ୍ଟିକ ସାମଗ୍ରୀ ଦୋକାନ ରହିଛି। ସେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ପରେ ସେ ଦୋକାନରେ ନିଆଁ ଲାଗିଥିବା ଖବର ପାଇ ପହଞ୍ଚିଥିଲେ। ସେତିକିବେଳକ୍ୁ ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଦୋକାନରେ ଥିବା ସମସ୍ତ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି। ପ୍ରାୟ 2 ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି।