ପ୍ଲେଟ ଗୋଦାମରେ ଅଗ୍ନିକାଣ୍ଡ: ଆୟତ୍ତ ହେଉନି ନିଆଁ

ଛତ୍ରପୁର,୨୬।୧୨ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲଣ୍ଡାବାଉଁଶ ଗ୍ରାମରେ ମଧ୍ୟାହ୍ନରେ ଏକ ଖାଦ୍ୟ ପ୍ଲେଟ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ସୂଚନା ମୁତାବକ ଗ୍ରାମରେ ଥିବା ଉପେନ୍ଦ୍ର ପଣ୍ଡାଙ୍କ ପ୍ଲେଟ ଗୋଦାମରେ ନିୟୋଜିତ କର୍ମଚାରୀମାନେ ମଧ୍ୟାହ୍ନରେ ଘରକୁ ଖାଇବାକୁ ଯାଇଥିଲେ । ଗୋଦାମରେ ଥିବା ମେଶିନ ଅତ୍ୟଧିକ ଗରମ ହୋଇ ପ୍ଲେଟ ଗୁଡିକରେ ନିଆଁ ଲାଗିଯାଇଥିଲା । ଗୋଦାମ ଗୃହରୁ ଧୂଆଁ ବାହାରିବା ଦେଖି ଲୋକେ ଛତ୍ରପୁର ଦମକଳ ବାହିନୀଙ୍କୁ ଖବରଦେଇଥିଲେ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ନିଆଁ ଆୟତ୍ତ ହୋଇପାରି ନାହିଁ। ତିନି ତିନିଟି ଅଗ୍ନିଶମ ଗାଡ଼ି ନିୟୋଜିତ ଅଛନ୍ତି। ଏଥିରେ ପ୍ରାୟ ୧୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।