ଆବାସିକ ଭବନରେ ଅଗ୍ନିକାଣ୍ଡ, ୫ ଶିଶୁ ସମେତ ୧୦ ମୃତ

ପ୍ୟାରିସ,୧୬ା୧୨: ଶୁକ୍ରବାର ଫ୍ରାନ୍ସର ଲିୟନର ଏକ ଆବାସିକ କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ମଧ୍ୟ ଅଛନ୍ତି। ପିଲାମାନଙ୍କର ବୟସ ୩ ବର୍ଷରୁ ୧୫ବର୍ଷ ମଧ୍ୟରେ ହେବ। ଫ୍ରାନ୍ସର ଗୃହମନ୍ତ୍ରୀ ଜେରାଲ୍ଡ ଡର୍ମାନିନ୍‌ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଡର୍ମାନିନ୍‌ କହିଛନ୍ତି, ଶୁକ୍ରବାର ସକାଳେ ଭାଉଲକ୍ସ-ଏନ୍‌-ଭେଲିନ ସ୍ଥିତ ଏକ ଆବାସିକ କୋଠାରେ ଏହି ଅଗ୍ନିକାଣ୍ଡ ଘଟିଛି। ଉକ୍ତ ଘଟଣାରେ ଅତି କମରେ ୧୦ ଜଣଙ୍କର ଜୀବନ ଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

ଖବର ପାଇ ୧୦୮ ଜଣ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି। ଗୃହମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ସେ କହିଛନ୍ତି, ସାତ ମହଲା କୋଠାରେ ଏହି ନିଆଁ ଲାଗିଯାଇଥିଲା। ନିଆଁକୁ ଆୟତ୍ତ କରାଯାଇଛି। ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯିବ। ରୋନ ଅଞ୍ଚଳର ଅଧିକାରୀମାନେ ଘଟଣାସ୍ଥଳକୁ ଜଗି ରହିଛନ୍ତି।

Share