ଥମୁନି ଶିମିଳିପାଳ ବନାଗ୍ନି

ବାରିପଦା,୧ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସବୁଜ ବନାନୀରେ ଭରପୁର ଶିମିଳିପାଳ ଅଭୟାରଣ୍ୟରେ ବନାଗ୍ନି ଅଣାୟତ୍ତ ହୋଇପଡିଛି । ପ୍ରତିଦିନ ନିଆଁ ଲାଗୁଥିବା ବେଳେ ବନ ବିଭାଗ ରୋକିବାକୁ ଉଦ୍ୟମ ଜାରି ରଖିଛି। ବାୟୁ ମଣ୍ଡଳର ପ୍ରଚଣ୍ଡ ଉତ୍ତାପ ଓ ଜଙ୍ଗଲ ନିଆଁର ପ୍ରକୋପରେ ଜୀବଜନ୍ତୁ ଆକୁଳ ବ୍ୟାକୁଳ ହୋଇପଡ଼ୁଛନ୍ତି। ଜୀବନ ବଞ୍ଚାଇବା ପାଇଁ ସୁରକ୍ଷିତ ସ୍ଥାନକୁ ଚାଲିଯାଉଛନ୍ତି।

ବାଟବଣା ହୋଇ ଶିକାରୀ ହାବୁଡରେ ପଡ଼ି ପ୍ରାଣ ହରାଉଥିବା ବେଳେ ଅନେକ ଗାଁ ମୁହାଁ ହେବାରେ ଲାଗିଛନ୍ତି।
। ଏଭଳି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଜିଲାବାସୀ ସ୍ବତଃପ୍ରବୃତ୍ତ ଭାବେ ସହଯୋଗ କରିବାର ସମୟ ଆସିଛି ବୋଲି ମତ ପ୍ରକାଶ ପାଇଛି। ମଙ୍ଗଳବାର ଅଭୟାରଣ୍ୟର ୧୧ଟି ଫାୟାର ପଏଣ୍ଟ ଚିହ୍ନଟ ହୋଇଥିବା ବେଳେ ସୋମବାର ୩୫ଟି ପଏଣ୍ଟ ଚିହ୍ନଟ ହୋଇଥିଲା ବୋଲି ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ(ଆର୍‌ସିସିଏଫ୍‌) ଡ.ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି ।

ମଙ୍ଗଳବାର ବାରିପଦାର ତାପାମାତ୍ରା ୪୬.୪ଡିଗ୍ରୀ ସେଲସିୟସରେ ପହଞ୍ଚତ୍ଥିଲା। ଦିନତମାମ ଅଗ୍ନି ବର୍ଷା ହେଉଥିବା ବେଳେ ଅଭୟାରଣ୍ୟର ନିଆଁ ତାପମାତ୍ରାକୁ ପ୍ରଭାବିତ କରିଛି । ନିଆଁ ଧୂଆଁ କବଳରେ  ବନ୍ୟପ୍ରାଣୀ ଅଣନିଶ୍ୱାସୀ ହୋଇପଡିଛନ୍ତି  । ନିଆଁ ଲିଭାରେ ନିୟୋଜିତ କର୍ମଚାରୀଙ୍କ ଅବସ୍ଥା ସଙ୍କଟାପନ୍ନ ଆଡକୁ ଗତି କରୁଛି । ଦୁଇ ଦିନ ପୂର୍ବେ ଦୁଇ କର୍ମଚାରୀ ଅଂଶୁଘାତରେ ଆକ୍ରାନ୍ତ ହୋଇ ପଡିଥିବା ନେଇ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ୍‌) ସୁଶାନ୍ତ ନନ୍ଦ ସୋସିଆଲ ମିଡିଆ ଏକ୍ସରେ ଜଣାଇଥିଲେ। ତେବେ ବନାଗ୍ନିକୁ ନିୟନ୍ତ୍ରଣ କରିବା ପାଇଁ ବନ ବିଭାଗର ଅନୁରୋଧ କ୍ରମେ ବାରିପଦା ବନଖଣ୍ଡ ପିଠାବଟା ରେଞ୍ଜରେ ୫୦ଜଣ ଗ୍ରାମବାସୀ ଓଡ୍ରାଫ୍ଟ ଟିମ ସହିତ ଯୋଗ ଦେଇଛନ୍ତି। ଓଡ୍ରାଫ୍ଟ ଟିମ ସହିତ ବନ କର୍ମଚାରୀ ଓ ଏସଟିଏଫ୍‌ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ମଙ୍ଗଳବାର ଶିମିଳିପାଳ ଅଭୟାରଣ୍ୟ ରାଇରଙ୍ଗପୁର ବନଖଣ୍ଡରେ ୧ଟି, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ବନଖଣ୍ଡ ଅଞ୍ଚଳରେ ୯ଟି ଓ ଉତର ବନଖଣ୍ଡ ଅଞ୍ଚଳରେ ୧ଟି ସ୍ଥାନକୁ ମିଶାଇ ମୋଟ ୧୧ଟି ଫାୟାର ପଏଣ୍ଟ ଚିହ୍ନଟ କରାଯାଇଛି। ସଚେତନତା ହିଁ ବନାଗ୍ନି ରୋକିବାରେ ସହାୟକ ହେବ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରୁଛନ୍ତି। ତେବେ ଜରୁରୀକାଳୀନ ସମୟରେ ସମସ୍ତେ ଏକ ସ୍ବର ଓ ଏକ ପ୍ରାଣ ଦେଇ ବନାଗ୍ନିକୁ ରୋକିବା ପାଇଁ ହାତ ବଢାଇବା ଜରୁରୀ ବୋଲି ପ୍ରକୃତିପ୍ରେମୀମାନେ ନିବେଦନ କରିଛନ୍ତି।

Share