ସମୁଦ୍ର ମଝିରେ ନିଆଁ…

ମେକ୍ସିକୋ ସିଟି,୩।୭: ଲାଟିନ୍‌ ଆମେରିକା ଦେଶ ମେକ୍ସିକୋରେ ସମୁଦ୍ର ମଝିରେ ହଠାତ୍‌ ଭୟଙ୍କର ନିଆଁ ଦେଖିଯାଇଛି। ସମୁଦ୍ର ମଝିରେ ନିଆଁ ଜଳୁଥିବାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଠାରେ ଥିବା ଏକ ପ୍ରାକୃତିକ ତୈଳ ପାଇପ୍‌ ଲାଇନ୍‌ରେ ନିଆଁ ଲାଗିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ଏହାର ୧୭ ସେକେଣ୍ଡର ଏକ ଭିଡ଼ିଓ ମାନୁଏଲ୍‌ ଲୋପେଜ୍‌ ସାନ୍‌ ମାର୍ଟିନ୍‌ ନାମକ ଜଣେ ୟୁଜରଙ୍କ ଟୁଇଟର ହ୍ୟାଣ୍ଡେଲରେ ଅପଲୋଡ୍‌ କରାଯାଇଛି। ଭିଡ଼ିଓରେ ନିଆଁ ଟକମକ ହୋଇ ଫୁଟୁଥିବା ଭଳି ଦେଖାଯାଉଛି। ଏଠାରେ ଥିବା ପ୍ରାକୃତିକ ତୈଳ ରିଙ୍ଗ୍‌ ଯେଭଳି ସୁରକ୍ଷିତ ରହିବ ସେ ନେଇ ମେକ୍ସିକୋ ନୌସେନା ପକ୍ଷରୁ ପ୍ରୟାସ କରାଯାଉଛି। ତେବେ ନିଆଁ ଦିନରାତି ଅବିଶ୍ରାନ୍ତ ଜଳିବାରେ ଲାଗିଛି। ୟୁକାତନ ପ୍ରାୟଦ୍ୱୀପ ନିକଟରେ ଥିବା ସମୁଦ୍ର ଗର୍ଭରେ ଏହି ନିଆଁ ଲାଗିଛି। ସୋସିଆଲ୍‌ ମିଡ଼ିଆରେ ୟୁଜର ଏହାକୁ ‘ଆଇ ଅଫ୍‌ ଫାୟାର’ ଭାବେ ନାମିତ କରିଛନ୍ତି। ଇତିମଧ୍ୟରେ ଏହି ଭିଡ଼ିଓକୁ ଏକ କୋଟି ୪୦ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି।

Share