ଆବର୍ଜନା ପରିଚାଳନା କେନ୍ଦ୍ରରେ ନିଆଁ

କେନ୍ଦୁଝର,୧୨ା୩(ସ୍ବ.ପ୍ର.): କେନ୍ଦୁଝର ପୁରୁଣା ସହର ବସ୍‌ଷ୍ଟାଣ୍ଡ ନିକଟ ନିଜିଗଡ଼ରେ ଥିବା ମଇଳା ଆବର୍ଜନା ପରିଚାଳନା କେନ୍ଦ୍ର (ଏମ୍‌ସିସି-୨)ରେ ଶନିବାର ସକାଳୁ ହଠାତ୍‌ ନିଆଁ ଲାଗିଯିବାରୁ ଚାରିଆଡ଼େ ଧୂଆଁମୟ ହୋଇଯାଇଥିଲା। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଏହାଦ୍ୱାରା ବାୟୁମଣ୍ଡଳ ବହୁ ମାତ୍ରାରେ ପ୍ରଦୂଷିତ ହୋଇଥିବା ବେଳେ ଉତ୍କଟ ଗନ୍ଧ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ମଇଳା ଆବର୍ଜନା ସଠିକ୍‌ ପରିଚାଳନା ହୋଇ ପାରୁ ନ ଥିବାରୁ ଜାଣିଶୁଣି ନିଆଁ ଲଗାଇ ଦିଆଯାଇଥିବା ସାଧାରଣରେ ଅଭିଯୋଗ ହେଉଛି।

ଉକ୍ତ କେନ୍ଦ୍ର ପରିସର ଓ ବାହାରେ ବହୁ ପରିମାଣରେ ମଇଳା ଆବର୍ଜନା ଜମା ହୋଇରହିଛି। ଫଳରେ ଉତ୍କଟ ଗନ୍ଧ ସହ ପରିବେଶ ପ୍ରଦୂଷିତ ହେଉଛି। ପାଖରେ ଥିବା ବନ ବିଭାଗ କାର୍ଯ୍ୟାଳୟ (ଓାର୍କିଂ ପ୍ଲାନିଂ) ପକ୍ଷରୁ ପ୍ରଶାସନକୁ ସୂଚିତ କରିବା ସହ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିବା ପୂର୍ବତନ ପୌରାଧ୍ୟକ୍ଷ ପ୍ରଭଞ୍ଜନ ପଟ୍ଟନାୟକ କହିଛନ୍ତି। ଏହା ସତ୍ତ୍ୱେ ଉକ୍ତ ପ୍ରକଳ୍ପକୁ ସ୍ଥାନାନ୍ତର କରାଯାଉନାହିଁ। ଫଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

Share