ଇନ୍ଦୋର,୭।୩: ମଧ୍ୟପ୍ରଦେଶର ଉଜ୍ଜୟନୀସ୍ଥିତ ଶିପ୍ରା ନଦୀର ତ୍ରିବେଣୀ ଘାଟରେ ଏକ ପ୍ରକାର ଅଲୌକିକ ଘଟଣା କିଛି ଦିନ ଧରି ଘଟିଚାଲିଛି। ନଦୀ ଗର୍ଭରେ ବିସ୍ଫୋରଣ ହେବା ସହିତ ନିଆଁ ଜଳୁଛି। ଏହା ସହିତ ଧଳା ଧୂଆଁ ମଧ୍ୟ ସୃଷ୍ଟି ହେଉଛି। ପ୍ରଥମେ ସ୍ଥାନୀୟ ଲୋକେ ଏହାକୁ ଏକ ସାଧାରଣ ଘଟଣା ବୋଲି ଧରି ନେଇଥିଲେ। ତେବେ ପରବର୍ତ୍ତୀ ସମୟରେ ଲଗାତାର ଏଭଳି ହେବାରେ ଲାଗିଛି। ଖବର ପାଇ ସ୍ଥାନୀୟ ଜିଲାପାଳ ଆଶିଷ ସିଂ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି। ସୁରକ୍ଷା ପାଇଁ ସେଠାରେ ଜଣେ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଘାଟକୁ ନ ଯିବାକୁ ସ୍ଥାନୀୟ ଲୋକଙ୍କ ଲାଗି ନିର୍ଦ୍ଦେଶ ଜାରି ହୋଇଛି। ନଦୀ ଗର୍ଭରେ ପେଟ୍ରୋଲିୟମ୍ ଅବା ଗ୍ୟାସ୍ ଭଣ୍ଡାର ରହିଥିବାର ଅନୁମାନ କରାଯାଉଛି। ଶୀଘ୍ର ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର କର୍ମଚାରୀଙ୍କ ଦ୍ୱାରା ଏଠାରେ ଆବଶ୍ୟକ ଗବେଷଣା କରାଯିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଏହାର ୩୪ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।