Categories: ଜାତୀୟ

ଓଭରହେଡ୍‌ ତାରରେ ନିଆଁ: ଦୁର୍ଘଟଣାରୁ ବର୍ତ୍ତିଲା ପୁରୀ-ଜୟନଗର ଏକ୍ସପ୍ରେସ୍‌

ପାଟନା,୪ା୧୧: ପୁରୀ-ଜୟନଗର ସାପ୍ତାହିକ ଏକ୍ସପ୍ରେସ୍‌ର ଯାତ୍ରୀମାନେ ଶୁକ୍ରବାର ସକାଳେ ଏକ ଅଗ୍ନି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପାଟନା-ହାଓଡ଼ା ମୁଖ୍ୟ ରେଳ ଲାଇନର ସିମୁଲତାଲା ଓ ଗୋର୍ପାରନ ରେଳଷ୍ଟେଶନ ମଧ୍ୟରେ ଟ୍ରେନ୍‌ଟି ଯାଉଥିବାବେଳେ ଓଭରହେଡ୍‌ ତାରରେ ନିଆଁ ଲାଗିଯାଇଥିଲା। ଟ୍ରେନ୍‌ର ବେଗ ଅଧିକ ଥିବାରୁ ଡ୍ରାଇଭର ଜରୁରୀ ବ୍ରେକ୍‌ ମାରିପାରି ନ ଥିଲେ। ସ୍ବାଭାବିକ ପଦ୍ଧତିରେ ଟ୍ରେନ୍‌ ରହିବା ବେଳକୁ ଏହା ନିଆଁ ଲାଗିଥିବା ସ୍ଥାନକୁ ଅତିକ୍ରମ କରିଯାଇଥିଲା ଓ କେତେକ ଲୁହା ରଡ୍‌ ଭାଙ୍ଗିଯାଇଥିଲା। ନିଆଁ ଲାଗିଥିବା ସମ୍ପର୍କରେ ଡ୍ରାଇଭର ଆର୍‌. ବେସେରା ସିମୁଲତାଲା ଷ୍ଟେଶନରେ ଡ୍ୟୁଟିରେ ଥିବା ଷ୍ଟେଶନମାଷ୍ଟରଙ୍କୁ ଜଣାଇବା ପରେ ସେ ଅନ୍ୟ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ। ଫଳରେ ଉକ୍ତ ଲାଇନରେ ବିଭିନ୍ନ ଟ୍ରେନ୍‌ ଚଳାଚଳ ପ୍ରାୟ ୫ ଘଣ୍ଟା ବିଳମ୍ବ ହୋଇଥିଲା।

Share