ଡେରାଡୁନ୍,୧୩।୩: ଦିଲ୍ଲୀ-ଡେରାଡୁନ୍ ଶତାବ୍ଦି ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ ଘଟିଛି। ଶନିବାର ୧୨ଟା ୨୦ରେ ଉତ୍ତରାଖଣ୍ଡର କାନସୋର ଅଞ୍ଚଳରେ ହଠାତ୍ ଏକ୍ସପ୍ରେସ୍ର ସି-୪ ବଗିରେ ନିଆଁ ଲାଗି ଯାଇଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଥିଲା। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିବା ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର ସୂଚନା ଦେଇଛନ୍ତି। ଶର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବଗିରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ଯାତ୍ରୀମାନେ ଇର୍ମଜେନ୍ସି ଚେନ ଟାଣି ଲୋକୋ ପାଇଲଟଙ୍କୁ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ଲୋକୋ ପାଇଲଟ ଟ୍ରେନ୍ ଅଟକାଇଥିଲେ। ଯାତ୍ରୀମାନଙ୍କୁ ଅନ୍ୟ ବଗିକୁ ସ୍ଥାନାନ୍ତର କରାଯାଇଥିବା ଡେରାଡୁନ୍ ରେଳ ଷ୍ଟେଶନର ପରିଚାଳନା ଅଧିକ୍ଷକ ସୀତାରାମ ଶଙ୍କର ପ୍ରକାଶ କରିଛନ୍ତି।