ବିଭିନ୍ନ ସ୍ଥାନରେ ଅଗ୍ନି ନିରାପତ୍ତା ଯାଞ୍ଚ

ଅନୁଗୋଳ ଅଫିସ, ୧୭।୫ ଅନୁଗୋଳ ସହର ତଥା ବିଭିନ୍ନ ଅଞ୍ଚଳରେ ଭଳିକି ଭଳି ମଲ୍‌, ଶୋ’ରୁମ୍‌ ମୁଣ୍ଡ ଟେକିଛି। କିନ୍ତୁ ଏସବୁ ମଧ୍ୟରୁ ଅନେକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। କେତେକ ସ୍ଥାନରେ ଥିବା ଅଗ୍ନି ନିରାପତ୍ତା ଯନ୍ତ୍ରାଂଶ କେବଳ ନାମକୁ ମାତ୍ର ରହିଛି। ସୋମବାର ଜିଲା ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ଯାଞ୍ଚ ବେଳେ ଏହି ଚିତ୍ର ପଦାକୁ ଆସିଛି।
ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରଥମେ ସହରର ୩ଟି ବଡ଼ ମଲ୍‌ ସହ ଗୋଟିଏ ମୋଟରସାଇକେଲ ଶୋ’ରୁମ୍‌ରେ ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରୁ ୨ଟି ମଲ୍‌ ଓ ଗୋଟିଏ ଶୋ’ରୁମ୍‌ରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ରହିଥିଲା। କିନ୍ତୁ ଗୋଟିଏ ମଲ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଜଣାପଡ଼ିଛି। ଉକ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ କରାଯିବା ସହ ତୁରନ୍ତ ପ୍ରମାଣପତ୍ର ଆବେଦନ କରିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ଗତ କିଛିଦିନ ହେଲା ଅଗ୍ନିଶମ ବିଭାଗ ପକ୍ଷରୁ କରାଯାଉଥିବା ଯାଞ୍ଚରୁ ବହୁ ଅନିୟମିତତା ପଦାକୁ ଆସିଛି। ଜିଲାର ଅନେକ ବ୍ୟବସାୟିକ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବାବେଳେ ପ୍ରମାଣପତ୍ର ମଧ୍ୟ ନ ଥିବା ଦେଖାଯାଇଛି। ଏଭଳି ସ୍ଥଳେ ଯଦି କୌଣସି ଅଘଟଣ ଘଟେ, ତେବେ ଧନଜୀବନ ହାନି ହେବା ସମ୍ଭାବନା ରହିଛି। ଏହି ଯାଞ୍ଚ ସମୟରେ ଅଗ୍ନିଶମ ବିଭାଗର ଅନୁଗୋଳ ମୁଖ୍ୟ ପ୍ରଶାନ୍ତ କୁମାର ଧଳଙ୍କ ସହ ରଶ୍ମିକାନ୍ତ ବରାଳ, କ୍ରୀତିରଞ୍ଜନ ବେହେରା, ପ୍ରତାପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିବା ମଲ୍‌କୁ ନୋଟିସ୍‌ ପ୍ରଦାନ କରାଯାଇଛି। ୧୫ ଦିନ ମଧ୍ୟରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ସହ ଯନ୍ତ୍ରାଂଶ ମରାମତି ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିବା ଜିଲା ଅଗ୍ନିଶମ ବିଭାଗ ମୁଖ୍ୟ ଧଳ ସୂଚନା ପ୍ରଦାନ କରିଛନ୍ତି।

Share