
ବ୍ରହ୍ମପୁର,୨୨।୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅଧୀନ ଲାଠି ଗ୍ରାମ ମୁଖ୍ୟ ରାସ୍ତାକଡ଼ରେ ଥିବା ୫ଟି ଦୋକାନ ଜଳିଯାଇଛି। ଜଳଖିଆ ଦୋକାନ ଭିତରେ ଥିବା ଦୁଇଟି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଛି। କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ଏହି ଅଗ୍ନିକାଣ୍ଡରେ କିଛି ବିଦ୍ୟୁତ ତାର ପୋଡ଼ିଯାଇଛି। ଅଧିକ କ୍ଷତି ଆଶଙ୍କା କରି ବିଦ୍ୟୁତ୍ ବିଭାଗ ବିଦ୍ୟୁତ୍ ସରବରାହ ବନ୍ଦ କରି ଦେଇଥିଲା। ଫଳରେ ଗ୍ରାମବାସୀଙ୍କୁ ରାତିସାରା ଅନ୍ଧାରରେ ରହିବାକୁ ପଡ଼ିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ମିଳିଥିବା ସୂଚନା ମୁତାବକ, ଲାଠି ପଞ୍ଚାୟତ ସମିତି କାର୍ଯ୍ୟାଳୟ ରାସ୍ତାକଡ଼ରେ ଗୋବିନ୍ଦ ପାଣିଗ୍ରାହୀଙ୍କ ଏକ ସାଇକେଲ ମରାମତି ଦୋକାନ ରହିଛି। ତାଙ୍କ ଦୋକାନ ପାଖରେ ଶିବନାଥ ଠାକୁରଙ୍କ ଏକ ଜଳଖିଆ ଦୋକାନ ଓ ତାଙ୍କ ଦୋକାନ ପାଖରେ ଅର୍ଜୁନ ବେହେରାଙ୍କ ପନିପରିବା ଦୋକାନ ଓ ଧାନକଳ ମାଲିକଙ୍କ ଏକ ଛୋଟ ଗୋଦାମ ଘର ରହିଛି। ସେମାନେ ଶୁକ୍ରବାର ରାତିରେ ନିଜ ବ୍ୟବସାୟ ସାରି ଦୋକାନରେ ତାଲା ପକାଇ ଘରକୁ ଯାଇଥିଲେ। ବିଳମ୍ବିତ ରାତି ପ୍ରାୟ ୨ଟାରେ ଦୋକାନରେ ନିଆଁ ଲାଗି ଜଳୁଥିବା ଦେଖି ଲୋକେ ସରପଞ୍ଚ ରାଧା ମୋହନ ସେଠୀଙ୍କୁ ଜଣାଇଥିଲେ।
ସେ ଏନେଇ ଅଗ୍ନିଶମ ବିଭାଗକୁ ଖବର କରିଥିଲେ। ଅନ୍ୟପକ୍ଷେ ଶିବନାଥଙ୍କ ଦୋକାନ ଭିତରେ ଥିବା ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବାରୁ ନିଆଁ ଅନ୍ୟ ଦୋକାନଗୁଡ଼ିକୁ ବ୍ୟାପି ଯାଇଥିଲା। ଲୋକେ ଭୟଭୀତ ହୋଇ ପଡିଥିଲେ। ସରପଞ୍ଚ, ଯୁବନେତା ଶିଶିର ଦାସ ପହଞ୍ଚି ନିଆଁ ଆୟତ୍ତ କରିବାରେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସହଯୋଗ କରିଥିଲେ। ଏହି ଅଗ୍ନିକାଣ୍ଡରେ ପ୍ରାୟ ୫ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଥିବା ବ୍ୟବସାୟୀମାନେ ପ୍ରକାଶ କରି ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି।
ଅନ୍ୟପକ୍ଷରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଗଲେ କିପରି ଅଗ୍ନିକାଣ୍ଡ ଘଟିଲା ସେ ସମ୍ପର୍କରେ ଜଣାପଡିବ ବୋଲି ସାଧାରଣରେ ଦାବି ହୋଇଛି।