ଦିଗପହଣ୍ଡି,୧୬।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି.ତୁରୁବୁଡ଼ି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଜି.ସୂର୍ଯ୍ୟ ରେଡ୍ଡୀଙ୍କ ଧାନଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ତେବେ କେଉଁ କାରଣରୁ ଦୁର୍ବୃତ୍ତ ଏହି ନିଆଁ ଲଗାଇଲେ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏଥିରେ ସୂର୍ଯ୍ୟଙ୍କ ପ୍ରାୟ ୨ ଏକର ଚାଷଜମିର ଧାନ ନଷ୍ଟ ହୋଇଥିବା ଅଗ୍ନିଶମ ବିଭାଗୀୟ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରାଙ୍କଠାରୁ ଜାଣିବାକୁ ମିଳିଛି। ଖବର ପାଇ ଅଗ୍ନିଶମ ବିଭାଗର ଅଧିକାରୀ ବେହେରାଙ୍କ ନେତୃତ୍ୱରେ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏଥିନେଇ ଦିଗପହଣ୍ଡି ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଆଇଆଇସି ବସନ୍ତ କୁମାର ସେଠୀ କହିଛନ୍ତି।
ସୂଚନାଯୋଗ୍ୟ, ଜି.ସୂର୍ଯ୍ୟ ରେଡ୍ଡୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ସେ ବର୍ତ୍ତମାନ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ରହିଥିବା ବେଳେ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ କୌଣସି ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।