ନୂଆ ୟୁନିଫର୍ମରେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର,୨।୧(ବ୍ୟୁରୋ): ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଦାନ କରାଯାଇଛି ନୂଆ ୟୁନିଫର୍ମ। ପୂର୍ବରୁ ଅଗ୍ନିଶମ କର୍ମଚାରୀ ବ୍ୟବହାର କରୁଥିବା ୟୁନିଫର୍ମରେ ନିଆଁ ଲାଗିଯାଉଥିଲା। ହେଲେ ନୂଆ ପୋଷାକରେ ରହିଛି ସ୍ବତନ୍ତ୍ର ଅଗ୍ନି ପ୍ରତିରୋଧକ । ଏହା ୮୦୦ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ନିଆଁକୁ ପ୍ରାୟ ୧୦ରୁ ୨୦ସେକେଣ୍ଡ୍‌ ଯାଏ ସହି କରିପାରିବ। ଏ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ ଏହି ଅତ୍ୟାଧୁନି ପୋଷାକ ସହରାଞ୍ଚଳ ଏବଂ କଳକାରଖାନା ଅଞ୍ଚଳରେ କାର୍ଯ୍ୟ କରୁଥିବା ୫୦୦ଜଣ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରଦାନ କରାଯିବ। ପରେ ପର୍ଯ୍ୟାୟକ୍ରମରେ ସମସ୍ତ କର୍ମଚାରୀଙ୍କୁ ଯୋଗାଇ ଦିଆଯିବ। ଏହାସହିତ ସମସ୍ତ କର୍ମଚାରୀଙ୍କୁ ଗମ୍‌ବୁଟ୍‌, ହେଲ୍‌ମେଟ୍‌, ବ୍ରିଦିଂ ଆପାରାଟସ୍‌ ସେଟ୍‌ ମଧ୍ୟ ପର୍ଯ୍ୟାୟକ୍ରମେ ମିଳିବ। ଏହା ଫଳରେ ବିଷାକ୍ତ ଗ୍ୟାସ, ନିଆଁ ଓ ଅମ୍ଳଜାନ ଅଭାବ ଥିବା ସ୍ଥାନରେ କର୍ମଚାରୀମାନେ ସଫଳତାର ସହ କାର୍ଯ୍ୟ କରିପାରିବେ।

Share