Categories: ଫୁରସତ

ହାତ ନ ଥିବା ପ୍ରଥମ ଏସୀୟ ଡ୍ରାଇଭିଂ ଲାଇସେନ୍ସଧାରୀ

ଥିରୁଭାନନ୍ତପୁରମ୍‌: ସ୍ବପ୍ନ ସାକାର କରିବାକୁ ଲୋକେ ବହୁ ପ୍ରକାରର କଷ୍ଟ କରିଥାନ୍ତି। ଚାରି ଚକିଆ ଯାନ ଚଳାଇ କାମ କରିବାକୁ ସ୍ବପ୍ନ ରଖିଥିବା ଜଣେ ଭିନ୍ନକ୍ଷମ ୬ ବର୍ଷର ପରିଶ୍ରମ ପରେ ଏବେ ସେ ସ୍ବପ୍ନ ସାକାର କରିବାରେ ସଫଳ ହୋଇଛନ୍ତି। କେରଳର ୩୨ ବର୍ଷୀୟା ଜୁଲିମୋଲ ମାରିଏଟ୍‌ ଥୋମାସ୍‌ଙ୍କ ଜନ୍ମରୁ ହାତ ନ ଥିବାବେଳେ ସେ ପ୍ରଥମ ଏସୀୟ ମହିଳା ଭାବେ ଡ୍ରାଇଭିଂ ଲାଇସେନ୍ସ ହାସଲ କରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ଭିଜୟାନ ନିଜେ ଜୁଲିମୋଲଙ୍କୁ ବ୍ୟକ୍ତିଗତ ଭାବେ ଲାଇସେନ୍ସ ପ୍ରଦାନ କରିଛନ୍ତି। ଇଡୁକି ଜିଲାର ଜୁଲିମୋଲ କୋଚିର ଏକ ଅଗ୍ରଣୀ କଳା ପ୍ରକାଶନ ଗୃହରେ ଗ୍ରାଫିକ ଡିଜାଇନର ଭାବେ କାର୍ଯ୍ୟ କରନ୍ତି। ସେ ୬ ବର୍ଷ ଧରି ଅପେକ୍ଷା କରିବା ପରେ ତାଙ୍କ ଡ୍ରାଇଭିଂ ସ୍କୁଲ ଏବଂ ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ଆୟୋଗ ଏବଂ କୋଚିରେ ଥିବା ଏକ ଘରୋଇ ସଂସ୍ଥା ସହାୟତାରେ ଲାଇସେନ୍ସପ୍ରାପ୍ତ ଡ୍ରାଇଭର ହେବାର ସ୍ବପ୍ନ ପୂରଣ କରିପାରିଛନ୍ତି। ସୂଚନା ମୁତାବକ, ଜୁଲିମୋଲ ସର୍ବଦା ଏକ କାର୍‌ ଚଳାଇବାକୁ ସ୍ବପ୍ନ ଦେଖୁଥିଲେ। ବିଶେଷ କରି ସେ ତାଙ୍କ ବାପାଙ୍କୁ ହରାଇବା ପରେ ନିଜେ ସ୍ବାଧୀନ ହେବା ସହ ପରିବାରର ଦାୟିତ୍ୱ ମଧ୍ୟ ନେଇଥିଲେ। ସେ ଭଦୁଥାଲାର ମାରିଆ ଡ୍ରାଇଭିଂ ସ୍କୁଲରେ କାର୍‌ ଚଳାଇବା ଶିଖିଥିଲେ। ପରେ ଲାଇସେନ୍ସ ପାଇଁ ଇଡୁକି ଜିଲାର ଥୋଡୁପୁଜ୍‌ହା ଆର୍‌ଟିଓରେ ଆବେଦନ କରିଥିଲେ। ସେଠାକାର ଆର୍‌ଟିଓରେ ଜୁଲିମୋଲଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଯାହା ପରେ ସେ କେରଳ ହାଇକୋର୍ଟକୁ ଯାଇଥିଲେ। କୋର୍ଟର ହସ୍ତକ୍ଷେପ ପରେ ଜୁଲିମୋଲ ମୋଟର ଭେଇକିଲ ଡିପାର୍ଟମେଣ୍ଟ (ଏମ୍‌ଭିଡି) ଅଫିସରଙ୍କ ସମ୍ମୁଖରେ ତାଙ୍କ କାର୍‌ ଚାଳନାର ଏକ ପରୀକ୍ଷା ଦେଇଥିଲେ। ତେବେ ସେତେବେଳେ ମଧ୍ୟ ଅଧିକାରୀ ତାଙ୍କୁ ଲାଇସେନ୍ସ ଦେବାକୁ ମନା କରିଦେଇଥିଲେ। ଏହାପରେ ଜୁଲିମୋଲ ଶେଷରେ ଭିନ୍ନକ୍ଷମଙ୍କ ପାଇଁ ଥିବା ରାଜ୍ୟ ଆୟୋଗଙ୍କ ନିକଟକୁ ଯାଇଥିଲେ। ତେବେ ଯାଇ ସେ ଲାଇସେନ୍ସ ପାଇବାକୁ ସକ୍ଷମ ହୋଇଥିଲେ। ଜୁଲିମୋଲ ଏବେ ଲାଇସେନ୍ସ ପାଇ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି।

Share