Categories: ଜାତୀୟ

ଆଦିତ୍ୟ-ଏଲ୍‌୧ର ପ୍ରଥମ କକ୍ଷ ଉତ୍ଥାନ

ବେଙ୍ଗାଲୁରୁ,୪ା୯: ଭାରତର ପ୍ରଥମ ସୋଲାର ମିଶନ ଆଦିତ୍ୟ-ଏଲ୍‌୧ ସୂର୍ଯ୍ୟ ଅଭିମୁଖେ ଉତ୍‌କ୍ଷେପଣ କରାଯିବାର ଦିନକ ପରେ ଏହାର ପ୍ରଥମ ପୃଥିବୀ କୈନ୍ଦ୍ରିକ କକ୍ଷପଥ ଉତ୍ଥାନ ରବିବାର ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ମହାକାଶ ଯାନ ଭଲ ସ୍ଥିତିରେ ରହିଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ମାନୋଭର ମଙ୍ଗଳବାର ରାତି ୩ଟାରେ କରାଯିବ। ପ୍ରଥମ ପୃଥିବୀ କୈନ୍ଦ୍ରିକ ମାନୋଭର ଦ୍ୱାରା ଆଦିତ୍ୟ-ଏଲ୍‌୧ ଏବେ ୨୪୫X୨୨,୪୫୯ କିଲୋମିଟର କକ୍ଷପଥରେ ପହଞ୍ଚତ୍ଛି। ଅର୍ଥାତ୍‌ ବର୍ତ୍ତମାନ ଏବେ ପୃଥିବୀଠାରୁ ଏହି ମହାକାଶ ଯାନର ସର୍ବନିମ୍ନ ଦୂରତା ୨୪୫ କିଲୋମିଟର ହୋଇଥିବାବେଳେ ସର୍ବାଧିକ ଦୂରତା ୨୨,୪୫୯ କିଲୋମିଟର।

ଶନିବାର ପୂର୍ବାହ୍ନ ୧୧ଟା ୫୦ ମିନିଟ୍‌ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଭାରତର ପ୍ରଥମ ସୋଲାର ସ୍ପେସ୍‌ ଅବ୍‌ଜରଭେଟୋରି ମିଶନକୁ ପିଏସ୍‌ଏଲ୍‌ଭି-ସି୫୭ ରକେଟ ସହାୟତାରେ ଉତ୍‌କ୍ଷେପଣ କରାଯାଇଥିଲା। ୬୩ ମିନିଟ୍‌ ପରେ ଆଦିତ୍ୟ-ଏଲ୍‌୧ ରକେଟରୁ ଅଲଗା ହୋଇ ସଫଳତାର ସହ ପୃଥିବୀର ଅଣ୍ଡାକୃତି କକ୍ଷପଥରେ ଅବସ୍ଥାପିତ ହୋଇଥିଲା। ଏହା ୧୨୫ ଦିନ ଯାତ୍ରା କରିବା ପରେ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ସୂର୍ଯ୍ୟ-ପୃଥିବୀ ସିଷ୍ଟମର ଲାଗ୍ରାଞ୍ଜ ପଏଣ୍ଟ-୧ (ଏଲ୍‌୧)ରେ ଥିବା ହଲୋ ଅର୍ବିଟ୍‌ରେ ପହଞ୍ଚତ୍ବ। ସୂର୍ଯ୍ୟର କରୋନାଲ ଉତ୍ତାପ ଏବଂ ସୌର ବାୟୁର ଗତି ବୃଦ୍ଧିକୁ ବୁଝିବା, ପୃଥିବୀ ନିକଟବର୍ତ୍ତୀ ମହାକାଶର ଜଳବାୟୁ ଆଦି ସମ୍ପର୍କରେ ଅବଗତ ହେବା ସୌର ମିଶନର ମୁଖ୍ୟ ଲକ୍ଷ୍ୟ।

Share