୧୬ତମ ସନ୍ତାନ ପ୍ରସବ ପରେ ନବଜାତ ସମେତ ମା’ର ମୃତ୍ୟୁ

ଦମୋହ, ୧୧।୧୦: ମଧ୍ୟପ୍ରଦେଶ ଦମୋହ ଜିଲା ଅନ୍ତର୍ଗତ ବାଟିଆଗଡ଼ ପୋଲିସ ଷ୍ଟେସନ ଅନ୍ତର୍ଗତ ପାଣ୍ଡାଝିର ଗ୍ରାମରେ ଜଣେ ମହିଳା ସନ୍ତାନ ପ୍ରସବ ପରେ ପ୍ରାଣ ହରାଇଛନ୍ତି। ୪୫ ବର୍ଷୀୟ ଏହି ମହିଳାଙ୍କ ଏହା ୧୬ତମ ସନ୍ତାନ ଥିଲା ବୋଲି ଜଣାପଡ଼ିଛି। ତେବେ ମହିଳାଙ୍କ ପରେ ପରେ ସେହି ନବଜାତ ଶିଶୁଟିର ମଧ୍ୟ ମୃତ୍ୟୁ ହୋଇଥିଲା।
ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଏହି ମହିଳାଙ୍କ ନାମ ସୁଖରାଣୀ ଅହିରବାର। ସୁଖରାଣୀ ଶନିବାର ଏକ ସନ୍ତାନ ପ୍ରସବ କରିଥିଲେ। ଏହାପରେ ଉଭୟ ସୁଖରାଣୀ ଏବଂ ତାଙ୍କ ନବଜାତ ସନ୍ତାନର ସ୍ବାସ୍ଥ୍ୟବସ୍ଥା ଖରାପ ହେବାକୁ ଲାଗିଥିଲା। ଉଭୟଙ୍କୁ ସଙ୍ଗେ ସଙ୍ଗେ ହାଟାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଉଭୟ ମହିଳା ଓ ତାଙ୍କ ନବଜାତ ସନ୍ତାନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଗ୍ରାମ ପଞ୍ଚାୟତ ଓ ମହିଳାଙ୍କ ପରିବାର ସଦସ୍ୟଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହା ତାଙ୍କର ୧୬ତମ ସନ୍ତାନ ଥିଲା। ଏଥିପୂର୍ବରୁ ୧୫ ସନ୍ତାନଙ୍କ ମଧ୍ୟରୁ ୪ଟି ଲେଖାଏ ପୁଅ ଓ ଝିଅ ଏବେ ଜୀବିତ ଅଛନ୍ତି। ଅର୍ଥାତ୍‌ ୮ଟି ପିଲା ଏବେ ରହିଛନ୍ତି ଏବଂ ଆଉ ୭ଜଣ ସନ୍ତାନଙ୍କ ମୃତ୍ୟୁ ହୋଇସାରିଛି।

Share