Categories: ଖେଳ

ପଶ୍ଚିମାଞ୍ଚଳ ନିୟନ୍ତ୍ରଣରେ ପ୍ରଥମ ଦିନ

ବେଙ୍ଗାଲୁରୁ, ୧୩ା୭ (ପି.ଟି.): ଦୁଲୀପ୍‌ ଟ୍ରଫି ଫାଇନାଲ୍‌ର ପ୍ରଥମ ଦିନର ଖେଳ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ବୋଲରଙ୍କ ସଫଳତା ବଳରେ ପ୍ରଥମ ଦିନର ଖେଳକୁ ନିୟନ୍ତ୍ରଣରେ ରଖିଛି ପଶ୍ଚିମାଞ୍ଚଳ। ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଦକ୍ଷିଣାଞ୍ଚଳ ୭ ଉଇକେଟ ହରାଇ ୧୮୨ ରନ୍‌ ସ୍କୋର କରିଛି।
ମେଘୁଆ ପାଗ କାରଣରୁ ପଶ୍ଚିମାଞ୍ଚଳ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବୋଲିଂ ସହାୟକ ପରିବେଶରେ ପଶ୍ଚିମାଞ୍ଚଳ ବୋଲର ସମଗ୍ର ଦିନର ଖେଳକୁ ନିୟନ୍ତ୍ରଣ କରିଥିଲେ। ଦକ୍ଷିଣାଞ୍ଚଳ ଅଧିନାୟକ ହନୁମା ବିହାରୀ ସର୍ବାଧିକ ୬୩ ରନ୍‌ ସ୍କୋର କରିଥିଲେ ମଧ୍ୟ ଦଳ ବଡ ସ୍କୋର କରି ପାରି ନ ଥିଲା। ରବି କୁମାର ସମର୍ଥ(୭) ଓ ମୟଙ୍କ ଅଗ୍ରଓ୍ବାଲ(୨୮) ଓପନ କରିଥିବା ବେଳେ ପ୍ରଥମ ଉଇକେଟରେ ମାତ୍ର ୧୫ ରନ୍‌ ଯୋଡିଥିଲେ। ତିଳକ ବର୍ମା ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଗୁରୁତ୍ୱପୂର୍ଣ୍ଣ ୪୦ ରନ୍‌ କରିଥିଲେ। ଦଳୀୟ ସ୍କୋର ୪୨ ରନ୍‌ରେ ମୟଙ୍କ ଆଉଟ ହେବା ପରେ ହନୁମା ବିହାରୀଙ୍କ ସହିତ ୬୯ ରନ୍‌ର ପାର୍ଟନରଶିପ୍‌ କରିଥିଲେ ତିଳକ। ୮୭ ବଲ୍‌ ଖେଳି ୫ ଚୌକା ଓ ୧ ଛକା ମାରିଥିବା ତିଳକଙ୍କୁ ଆଉଟ କରି ଅର୍ଜନ ନାଗ୍ବସ୍ବଲା ପଶ୍ଚିମାଞ୍ଚଳକୁ ବଡ ସଫଳତା ଦେଇଥିଲେ। ଦଳୀୟ ସ୍କୋର ୧୨୧ରେ ତିଲକ ଆଉଟ ହେବା ପରେ ପରବର୍ତ୍ତୀ ବ୍ୟାଟର ରିକି ଭୂଇ(୯), ସଚିନ୍‌ ବେବି(୭) ଓ ଆର୍‌. ସାଇ କିଶୋର(୫) ବିଫଳ ହେବାରୁ ଦଳ ୫୬ ରନ୍‌ରେ ପରବର୍ତ୍ତୀ ୪ ଉଇକେଟ ହରାଇଥିଲା। ଅଧିନାୟକ ବିହାରୀ ୧୩୦ ବଲ୍‌ ଖେଳି ୯ ଚୌକା ସହିତ ସର୍ବାଧିକ ୬୩ ରନ୍‌ ସ୍କୋର କରିଥିଲେ। ପ୍ରଥମ ଦିନରେ ମାତ୍ର ୬୫ ଓଭର ଖେଳ ସମ୍ଭବ ହୋଇଥିବା ବେଳେ ଷ୍ଟମ୍ପସ୍‌ ଅପସାରଣ ବେଳକୁ ଓ୍ବାଶିଂଟନ୍‌ ସୁନ୍ଦର ୯ ରନ୍‌ରେ ଓ ବିଜୟ କୁମାର ବୈଶାକ ୫ ରନ୍‌ରେ ବ୍ୟାଟିଂ କରୁଛନ୍ତି। ପଶ୍ଚିମାଞ୍ଚଳ ପକ୍ଷରୁ ଚିନ୍ତନ ଗଜା, ଅର୍ଜନ ନାଗ୍ବସ୍ବଲା ଓ ସାମ୍ସ ମୁଲାନୀ ଦୁଇଟି ଲେଖାଏ ଉଇକେଟ ନେଇଥିବା ବେଳେ ଅତୀତ ସେଠ ଗୋଟିଏ ଉଇକେଟ ନେଇଛନ୍ତି।
ସଂକ୍ଷିପ୍ତ ସ୍କୋର
ଦକ୍ଷିଣାଞ୍ଚଳ ପ୍ରଥମ ଇନିଂସ ୬୫ ଓଭରରେ ୧୮୨/୭( ହନୁମା ବିହାରୀ-୬୩, ତିଳକ ବର୍ମା-୪୦, ମୟଙ୍କ ଅଗ୍ରଓ୍ବାଲ-୨୮, ସାମ୍ସ ମୁଲାନୀ-୨/୧୯, ଚିନ୍ତନ ଗଜା-୨/୨୭, ଅର୍ଜନ ନାଗ୍ବସ୍ବଲା-୨/୪୫)।

Share