Categories: ଖେଳ

ପ୍ରଥମ ଦିନ ଭାରତ, ଲେବାନନ୍‌ ବିଜୟୀ

ଭୁବନେଶ୍ୱର, ୧୦ା୬(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ଇଣ୍ଟର କଣ୍ଟିନେଣ୍ଟାଲ କପ୍‌ ଫୁଟବଲ ଟୁର୍ନାମେଣ୍ଟ। ପ୍ରଥମ ଦିନର ଖେଳରେ ଭାରତ ଓ ଲେବାନନ୍‌ ବିଜୟୀ ହୋଇଛନ୍ତି। ଭାରତ ୨-୦ରେ ମଙ୍ଗୋଲିଆକୁ ଏବଂ ଲେବାନନ ୩-୧ରେ ଭାନୁଆଟୁକୁ ପରାସ୍ତ କରିଥିଲା। ଭାରତୀୟ ଜାତୀୟ ଫୁଟବଲ ଦଳ ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ଖେଳୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଟୁର୍ନାମେଣ୍ଟକୁ ଉଦ୍‌ଘାଟନ କରିଥିଲେ। ଭାରତ ଓ ମଙ୍ଗୋଲିଆ ଦଳର ଖେଳାଳିଙ୍କ ସହିତ ମୁଖ୍ୟମନ୍ତ୍ରୀ ପରିଚୟ ହେବା ସହିତ ଶୁଭେଚ୍ଛା ଜଣାଇଥିଲେ। ଏହା ବ୍ୟତିତ ସର୍ବଭାରତୀୟ ଫୁଟବଲ ମହାସଂଘ ସଭାପତି କଲ୍ୟାଣ ଚୌବେ ଓ ମହାସଚିବ କଲ୍ୟାଣ ଚୌବେ ମଧ୍ୟ ଉପସ୍ଥିତ ଥିଲେ।
ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଖେଳା ଯାଇଥିବା ମ୍ୟାଚକୁ ଘରୋଇ ଦଳ ୨-୦ରେ ଜିତି ନେଇଛି। ଭାରତ ପକ୍ଷରୁ ସହଲ ଅବଦୁଲ ସମଦ ଓ ଲାଲ୍ଲିଆଞ୍ଜୁଲା ଛାଙ୍ଗଟେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀ ଓ ଉଦାନ୍ତାଙ୍କ କମ୍ବିନେଶନ ଚମତ୍କାର ପ୍ରଦର୍ଶନ କରିଥିଲେ। ମ୍ୟାଚ୍‌ର ଦ୍ୱିତୀୟ ମିନିଟରେ ହିଁ ଭାରତ ପ୍ରଥମ ଗୋଲ ସ୍କୋର କରିଥିଲା। ଅନିରୁଦ୍ଧ ଥାପାଙ୍କ ପକ୍ଷରୁ ମିଳିଥିବା ପାଶ୍‌କୁ ଏକ ଶକ୍ତିଶାଳୀ କ୍ରସ୍‌ ସହିତ ଗୋଲରେ ପରିଣତ କରିଥିଲେ ସହଲ ଅବଦୁଲ ସମଦ। ଅନ୍ତର୍ଜାତୀୟ ଫୁଟବଲରେ ଏହା ତାଙ୍କର ତୃତୀୟ ଗୋଲ୍‌। ଏହାର ୧୦ ମିନିଟ ମଧ୍ୟରେ ଭାରତ ପାଇଁ ଦ୍ୱିତୀୟ ଗୋଲ ଦେଇଥିଲେ ଲାଲ୍ଲିଆଞ୍ଜୁଲା ଛାଙ୍ଗଟେ। ଅନିରୁଦ୍ଧ ଥାପା ଓ ସନ୍ଦେଶ ଝିଙ୍ଗନ ମିଡ ଫିଲ୍ଡରେ ଚମତ୍କାର ପ୍ରଦର୍ଶନ କରି ଗୋଲ ସ୍କୋର ସୁଯୋଗ ସୃଷ୍ଟି କରିଥିଲେ। ଏହାକୁ ଗୋଲରେ ପରିଣତ କରିବା ସହିତ ଭାରତକୁ ୨-୦ରେ ଆଗୁଆ କରିଥିଲେ ଛାଙ୍ଗଟେ। ମଙ୍ଗୋଲିଆ ଖେଳାଳି ଗୋଲ୍‌ ପରିଶୋଧ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ଏହି ବିଜୟ ସହ ଭାରତ ୩ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଛି। ସେହିଭଳି ପ୍ରଥମ ମ୍ୟାଚ୍‌ରେ ଲେବାନନ ୩-୧ ଗୋଲରେ ଭାନୁଆଟୁକୁ ପରାସ୍ତ କରିଥିଲା। ଲେବାନନ ପକ୍ଷରୁ ନାଦେର ମାତର(୫୯ ମିନିଟ), ହସନ କୌରାନି(୭୨ ମିନିଟ) ଓ କରିମ ଡାରଓ୍ବିଚ(୮୫ ମିନିଟ) ଗୋଟିଏ ଲେଖାଏ ଗୋଲ ଦେଇଥିବା ବେଳେ ଜନ୍‌ ଓହେଲ ୬୨ ତମ ମିନିଟରେ ଭାନୁଆଟୁ ପକ୍ଷରୁ ଏକମାତ୍ର ଗୋଲଟି ପରିଶୋଧ କରିଥିଲେ।

Share