ଟିକା ଯୋଗୁ ଦେଶରେ ଗଲା ପ୍ରଥମ ଜୀବନ

ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଜାନୁଆରୀ ୧୬ରୁ ଭାରତରେ କରୋନା ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ପ୍ରାୟ ୨୬କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଇସାରିଛି। ଇତିମଧ୍ୟରେ ଟିକା ଯୋଗୁ ପ୍ରଥମ ମୃତ୍ୟୁ ହୋଇଥିବା ମାମଲା ସାମ୍ନାକୁ ଆସିଛି। କରୋନା ଟିକାକରଣ ପରେ ସାମ୍ନାକୁ ଆସିଥିବା ୩୧ଟି ଗୁରୁତର ମାମଲାକୁ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରଣାଳୟର ସରକାରୀ ପ୍ୟାନେଲ ଦ୍ୱାରା ଯାଞ୍ଚ କରାଯାଇଥିଲା। ତେବେ ସେଥିମଧ୍ୟରୁ ଜଣଙ୍କ ମୃତ୍ୟୁ ଟିକାକରଣ ଯୋଗୁ ହୋଇଛି ବୋଲି ସୁନିଶ୍ଚିତ କରାଯାଇଛି। ସୂଚନା ମୁତାବକ ମାର୍ଚ୍ଚ ୮ରେ କରୋନା ଟିକା ନେଇଥିବା ଜଣେ ୬୮ ବୟସ୍କ ବ୍ୟକ୍ତିଙ୍କ ଆନାଫିଲେକ୍ସିସ୍‌ ଯୋଗୁ ମୃତ୍ୟୁ ହୋଇଥିବା ନେଇ ସରକାରୀ ପ୍ୟାନେଲ ସ୍ପଷ୍ଟ କରିଛି। ଦେଶରେ କରୋନା ଟିକାକରଣଜନିତ ପାଶର୍‌ବପ୍ରତିକ୍ରିୟା ଗୁଡ଼ିକ ଉପରେ ନଜର ରଖିବା ପାଇଁ ସରକାରଙ୍କ ପକ୍ଷରୁ ଆଡଭର୍ସ ଇଭେଣ୍ଟ ଫଲୋଇଙ୍ଗ୍‌ ଇମ୍ୟୁନାଇଜେସନ(ଏଇଏଫ୍‌ଆଇ) କମିଟି ଗଠନ କରାଯାଇଛି। ତେବେ ଏଇଏଫ୍‌ଆଇ ଟିକାକରଣ ପରେ ସାମ୍ନାକୁ ଆସିଥିବା ୩ଟି ଅତି ଗୁରୁତର ପାଶର୍‌ବପ୍ରତିକ୍ରିୟା ମାମଲାର ଯାଞ୍ଚ କରିଥିଲା। ଅନ୍ୟ ୨ଜଣ ବ୍ୟକ୍ତି ଟିକା ନେବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସେମାନେ ସୁସ୍ଥ ହୋଇଯାଇଥିବା ବେଳେ ତୃତୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।

Share