Categories: ଜାତୀୟ

୧୩ ଅଗଷ୍ଟରେ ପ୍ରଥମ ଡିଜିଟାଲ ଲୋକ ଅଦାଲତ…

ନୂଆଦିଲ୍ଲୀ,୬।୮ : ଭାରତର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ ଲୋକ ଅଦାଲତ ୧୩ ଅଗଷ୍ଟରେ ରାଜସ୍ଥାନ ରାଜ୍ୟ ଆଇନ ସେବା ପ୍ରାଧିକରଣ ଏବଂ ମହାରାଷ୍ଟ୍ର ରାଜ୍ୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ଆୟୋଜିତ ହେବ। ଲୋକ ଅଦାଲତର ଡିଜିଟାଇଜେଶନ ଦ୍ୱାରା ସାଧାରଣ ଲୋକେ ନିଜ ଘରେ ବସି ସହଜରେ ନ୍ୟାୟ ପାଇପାରିବେ। ଦେଶର ବିଭିନ୍ନ ଅଦାଲତରେ ବଢୁଥିବା ବିଚାରାଧିନ ମାମଲାର ସଂଖ୍ୟାକୁ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ଇତିହାସରେ ଏକ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହେବ।

ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ୧୮ ତମ ଅଲ ଇଣ୍ଡିଆ ଆଇନ ସେବା ପ୍ରାଧିକରଣ ବୈଠକରେ ଭାରତର ପ୍ରଥମ ଏଆଇ ଚାଳିତ, ଆଧୁନିକ ଡିଜିଟାଲ ଲୋକ ଅଦାଲତ ନାଲସାର ଚେୟାରମ୍ୟାନ ୟୁୟୁ ଲଲିତଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ପରେ ଏହା ମହାରାଷ୍ଟ୍ରରେ ମଧ୍ୟ ଆରମ୍ଭ କରାଯାଇଥିଲା। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହିତ ପରିଚାଳିତ ଏହି କୋର୍ଟ ହେଉଛି ପ୍ରଥମ କୋର୍ଟ । ୟୁପିଟି ଜଷ୍ଟିସ ଟେକ୍ନୋଲୋଜି ଦ୍ୱାରା ଡିଜିଟାଲ ଲୋକ ଅଦାଲଟ ଡିଜାଇନ ଏବଂ ବିକଶିତ ହୋଇଛି। ଏହି ଡିଜିଟାଇଜେଶନ କେବଳ ଏହାର ବ୍ୟାକ-ଏଣ୍ଡ ପ୍ରଶାସନିକ କାର୍ଯ୍ୟକୁ ସହଜ କରିବାରେ ସାହାଯ୍ୟ କରିବ ନାହିଁ, ବରଂ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ।

ଜଷ୍ଟିସ ଟେକ୍ନୋଲୋଜି ପ୍ରତିଷ୍ଠାତା ତଥା ସିଇଓ ରମଣ ଅଗ୍ରୱାଲ କହିଛନ୍ତି ଯେ ଡିଜିଟାଲ ଲୋକ ଅଦାଲତ ଦ୍ୱାରା ମହାରାଷ୍ଟ୍ର ଏବଂ ରାଜସ୍ଥାନର ପ୍ରି-ଟ୍ରାଏଲ ପର୍ଯ୍ୟାୟରେ ବିଚାରାଧୀନ ବିବାଦର ଶୀଘ୍ର ଏବଂ ଦକ୍ଷତାର ସହ ସମାଧାନ ହେବ। ଅନଲାଇନ ସେବା ସହିତ ଲୋକ ଅଦାଲତର ପ୍ରଶାସନିକ କାର୍ଯ୍ୟ କମ୍‌ ଖର୍ଚ୍ଚରେ ହେବା ସହିତ ପ୍ରକ୍ରିୟାରେ ଜଡିତ ସମସ୍ତ ହିତାଧିକାରୀଙ୍କ ପାଇଁ ଦକ୍ଷତା, ସୁବିଧା ଏବଂ ସ୍ବଚ୍ଛତା ମଧ୍ୟ ସୁନିଶ୍ଚିତ କରିବ ବୋଲି ସେ କହିଛନ୍ତି।

Share