Categories: ଖେଳ

ଇଂଲଣ୍ଡ ଫୁଟ୍‌ବଲରେ ପ୍ରଥମ ମହିଳା କୋଚ୍‌

ମାଞ୍ଚେଷ୍ଟର, ୬ା୭(ପି.ଟି.): ଇଂଲଣ୍ଡରେ ଦିନକୁ ଦିନ ମହିଳା ଫୁଟବଲର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ତେବେ ପୁରୁଷ ଟିମ୍‌ରେ ମହିଳା କୋଚ୍‌ ବା ସପୋର୍ଟ ଷ୍ଟାଫ୍‌ଙ୍କ ଉପସ୍ଥିତି ନଗଣ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଭଳି ଏକ ପରସ୍ଥିତିରେ ଇତିହାସ ରଚିଛନ୍ତି ହାନ୍ନା ଡିଙ୍ଗଲି। ଫରେଷ୍ଟ ଗ୍ରୀନ୍‌ ପୁରୁଷ ଫୁଟବଲ କ୍ଲବ ଏହାର କୋଚ୍‌ ଭାବରେ ଡିଙ୍ଗଲିଙ୍କୁ ନିଯୁକ୍ତ ଦେଇଛି। ମଙ୍ଗଳବାର ଡନ୍‌କାନ ଫର୍ଗୁସନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଡିଙ୍ଗଲିଙ୍କୁ କେୟାରଟେକର କୋଚ୍‌ ଭାବରେ ନିଯୁକ୍ତ କରାଯାଇଛି। ପୂର୍ବରୁ ସେ କ୍ଲବ୍‌ର ଚତୁର୍ଥ ଡିଭିଜନ ଟିମ୍‌ର ମୁଖ୍ୟ କୋଚ୍‌ ରହିଥିଲେ। ପ୍ରଥମ ଇଂଲିଶ କ୍ଲବ ଭାବରେ ଫରେଷ୍ଟ ଗ୍ରୀନ୍‌ ରୋଭର୍ସ ହାନ୍ନାଙ୍କୁ ନିଯୁକ୍ତି ଦେଇଥିବା ବେଳେ ମ୍ୟାନେଜର ଭାବରେ ନିଜ ଦକ୍ଷତା ପ୍ରମାଣିତ କରିବା ପାଇଁ ତାଙ୍କ ନିକଟରେ ସୁଯୋଗ ରହିଛି।
କ୍ଲବ ପକ୍ଷରୁ କୌଣସି ସମୟର କଟକଣା ନ ଥିବାରୁ ଦଳକୁ ଆଗେଇ ନେବା ପାଇଁ ହାନ୍ନାଙ୍କ ନିକଟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ମ୍ୟାନେଜର ତଥା ମୁଖ୍ୟ କୋଚ୍‌ ଭାବରେ ସୁଯୋଗ ପାଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି କହିଛନ୍ତି ହାନ୍ନା ଡିଙ୍ଗଲି। ପ୍ରି ସିଜନ ବର୍ତ୍ତମାନ ଆରମ୍ଭ ହେଉଥିବା ବେଳେ ସମ୍ପୂର୍ଣ୍ଣ ସିଜନ ଆଗକୁ ରହିଛି। ଏହା ମୋ ପାଇଁ ଏବଂ ଇଂଲିଶ ଫୁଟବଲ ପାଇଁ ଏକ ଚମତ୍କାର ସମୟ। ଉନ୍ନତ ଏବଂ ପ୍ରଗତିଶୀଳ ଚିନ୍ତାଧାରା ରଖୁଥିବା ଏଭଳି କ୍ଲବ ସହିତ ଯୋଡି ହୋଇଥିବାରୁ ମୁଁ ଅତ୍ୟନ୍ତ ଉତ୍ସାହିତ ବୋଲି ସେ କହିଛନ୍ତି।
ଇଂଲଣ୍ଡରେ ମହିଳା ଫୁଟବଲର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ଦଳ ୟୁରୋ କପ ବିଜୟୀ ହୋଇ ମହିଳା ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି। ମହିଳା ଏଫ୍‌ଏ କପ୍‌ ଫାଇନାଲକୁ ୭୭୩୯୦ ଦର୍ଶକ ଦେଖିଥିବା ବେଳେ ଏହା ଏକ ରେକର୍ଡ। ଚେଲ୍‌ସି ମହିଳା ଦଳର ମ୍ୟାନେଜର ଭାବରେ ଏମ୍ମା ହାୟେସ୍‌ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି। ଫରେଷ୍ଟ ଗ୍ରୀନ୍‌ କ୍ଲବ ସର୍ବଦା ଚିରାଚରିତ ଧାରାରୁ କିଛି ଭିନ୍ନ କରିବାକୁ ପ୍ରୟାସ କରିଥାଏ। ଗ୍ଲସେଷ୍ଟରଶାୟାରରେ ଅବସ୍ଥିତ ଏହି ଟିମ୍‌ଟି ସୌରଶକ୍ତିର ବ୍ୟବହାର କରୁଥିବା ବେଳେ ଇଲେକ୍ଟ୍ରିକ୍‌ ବସ୍‌ରେ ଟିମ୍‌ ଯାତାୟାତ କରିଥାଏ। ଦଳର ସମସ୍ତେ ଭେଗାନ ଖାଦ୍ୟ(ଆମିଷ ଓ ଦୁଗ୍ଧଜାତ ବର୍ଜିତ) ଗ୍ରହଣ କରିଥାନ୍ତି। ଏପରି କି ଏହାର ପଡିଆ ସମ୍ପୂର୍ଣ୍ଣ ଅର୍ଗାନିକ ଏବଂ ପୁନଃନବୀକରଣ ବର୍ଷା ଜଳରେ ଏହାର ଷ୍ଟାଡିୟମ ପ୍ରସ୍ତୁତ କରାଯାଏ।

Share