ଆଳିରେ ପ୍ରଥମ ବନ୍ୟା: ୧୫ରୁ ଊର୍ଦ୍ଧ୍ୱ ଗାଁ ଜଳବନ୍ଦୀ

ଆଳି,୫ା୮(ବନମାଳୀ ସେନାପତି ): ଆଳି ବ୍ଲକକୁ ଚତୁଃପାର୍ଶ୍ୱରେ ଘେରି ରହିଥିବା ବ୍ରାହ୍ମଣୀ, ଖରସ୍ରୋତା ଓ ଶାଖା କାଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ନଦୀ ଜଳସ୍ତର ବୃଦ୍ଧି ପାଇ ବ୍ଲକର ପେତପଡ଼ା ପଞ୍ଚାୟତର ପେତପଡ଼ା, ଖରଖରି, ବାରମାଣିଆ, ଠାକୁରପାଟଣା, କୋଳିଡିହ ପଞ୍ଚାୟତର ବିଜୟନଗର, ଚନ୍ଦନନଗର, ଦିନିଆରି, ଜାମୁଦଣ୍ଡା, ଇଛାପୁର, ତଅଁଳାଡିହା, ପତ୍ରପୁର ଓ ନରେନ୍ଦ୍ରପୁର ପଞ୍ଚାୟତର ଅନେକ ୱାର୍ଡରେ ବନ୍ୟାଜଳ ପଶି ଯାଇଥିବା ସୂଚନା ମିଳିଛି। ନଦୀରେ ବନ୍ୟା ଜଳ ଦେଖି ନଦୀକୂଳ ବର୍ତ୍ତୀ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଖରସ୍ରୋତା ଓ ଶାଖା କାଣୀ ନଦୀରେ ବନ୍ୟା ଆସିବା ଯୋଗୁ ଆଳି ଧୋୟାଞ୍ଚଳକୁ ଯୋଗାଯୋଗ ଠପ ହୋଇଯାଇଛି। ଆଳି ବ୍ଲକ ଧୋୟାଞ୍ଚଳକୁ ଗମନାଗମନ ନିମନ୍ତେ ଥିବା ମାନପୁର-ଗୋବିନ୍ଦପୁର ରାସ୍ତାର ମାନପୁର ଘୋଷରା ନିକଟରେ ଶୁକ୍ରବାର ସା ସୁଦ୍ଧା ପ୍ରାୟ ୩ ଫୁଟରୁ ଊର୍ଦ୍ଧ୍ୱ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଦିନ ସମୟରେ ଯାତାୟାତ ସମ୍ଭବ ଥିବା ବେଳେ ତାହା ସା ସମୟରୁ ଠପ ହୋଇଯାଇଛି। ଏହି ରାସ୍ତା ଉପରେ ଯାତାୟାତ ନିମନ୍ତେ ନିର୍ଭର କରୁଥିବା ଡ଼ିମିରିପାଳ, ଅରଗଳ, ଜୁଆଣିଆ, ଗୋବିନ୍ଦପୁର, କେତୁଆପାଳ, ଏରଡ଼ଙ୍ଗ, ପାଳିମି, ଦେସାହି, ପେତପଡା ଓ ସଂସିଧା ପଞ୍ଚାୟତର ଲୋକମାନେ ପ୍ରଭାବିତ ହୋଇଛନ୍ତି। ନଦୀରେ ବନ୍ୟା ଆସି ହଜାର ହଜାର ହେକ୍ଟର ଚାଷ ଜମିରେ ମାଡ଼ିଯିବା ଯୋଗୁ ଚାଷୀମାନେ ହତାଶ ହୋଇ ପଡିଛନ୍ତି।
ଚଳିତବର୍ଷ ବିଳମ୍ବରେ ଚାଷ ହୋଇଥିବା ବେଳେ ବନ୍ୟା ଚାଷୀମାନଙ୍କ ଚାଷକୁ ବୁଡାଇ ଦେଇଛି। ଅପରପକ୍ଷରେ ବନ୍ୟାଜଳ ଗ୍ରାମକୁ ପ୍ରବେଶ କରିଥିବା ବେଳେ ବିଷାକ୍ତ ସାପ, କୁମ୍ଭୀର ଭୟରେ ବନ୍ୟା ପ୍ରପୀଡ଼ିତମାନେ କାଳାତିପାତ କରୁଛନ୍ତି। ଧୋୟାଞ୍ଚଳ ସହ ସଂଯୋଗ କରୁଥିବା ମାନପୁର ଘୋଷରା ନିକଟରେ ସା ସୁଦ୍ଧା ପ୍ରଶାସନ ପକ୍ଷରୁ ଡ଼ଙ୍ଗାର ବ୍ୟବସ୍ଥା ହୋଇ ନ ଥିବାରୁ ସାଧାରଣ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ପାଞ୍ଚଣପଡ଼ା ନିକଟରେ ଥିବା ଦୁର୍ବଳ ସ୍ଲୁଇସ ଗେଟକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ତଟବନ୍ଧ ବିଭାଗ ପକ୍ଷରୁ ବାଲିବସ୍ତା ପକା ଯାଇଥିବାବେଳେ ଗ୍ରାମବାସୀ ଭୟଭିତ ଅବସ୍ଥାରେ ରହିଛନ୍ତି। ଶୁକ୍ରବାର ସକାଳୁ ଆଳି ବିଡିଓ ମିନତି ଜଗଦେବ, ତହସିଲଦାର ଦେବୀ ପ୍ରସାଦ ଆଚାର୍ଯ୍ୟ ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରି ବନ୍ୟା ପରିସ୍ଥିତି ଉପରେ କଡା ନଜର ରଖିଥିବା ଜଣାପଡିଛି। ବନ୍ୟା ପ୍ରପୀଡ଼ିତମାନଙ୍କୁ ନିକଟସ୍ଥ ସ୍କୁଲ ଘର କିମ୍ବା ଉଚ୍ଚା ସ୍ଥାନକୁ ସ୍ଥାନାନ୍ତର ନିମନ୍ତେ ବିଭିନ୍ନ ସରପଞ୍ଚମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବନ୍ୟା ଅଞ୍ଚଳରେ ବିଭିନ୍ନ ପ୍ରକାର ମେଡ଼ିସିନ ସମେତ ସାପ କାମୁଡା ଭଳି ଇଞ୍ଜେକ୍ସନ ମହଜୁଦ କରି ରଖାଯାଇଥିବା ସୂଚନା ମିଳିଛି। ବନ୍ୟାପାଣି ଘେରରେ ଥିବା ଗ୍ରାମଗୁଡିକୁ ତୁରନ୍ତ ଶୁଖିଲା ଖାଦ୍ୟ, ପାନୀୟ ଜଳ, ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।