ହୀରାକୁଦରୁ ଛଡ଼ାହେଲା ପ୍ରଥମ ବନ୍ୟାଜଳ: ତଳି ଅଞ୍ଚଳ ଜିଲାକୁ ସତର୍କ ନିର୍ଦ୍ଦେଶ

ସମ୍ବଲପୁର,୨୩ା୭(ଶୁଭାଶିଷ ପାଢ଼ୀ): ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ଘଟିଥିଲା। ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ୨୩ ତାରିଖ ସକାଳ ୯ଟାରେ ପ୍ରଥମେ ୭ନମ୍ବର ଗେଟ୍‌ରୁ ବନ୍ୟାଜଳ ନିଷ୍କାସନ କରିବାକୁ ଡ୍ୟାମ୍‌ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଥିଲେ। ବିଜ୍ଞପ୍ତି ଅନୁସାରେ ରବିବାର ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ନିର୍ଦ୍ଧାରିତ ସମୟରେ ୭ ନମ୍ବର ସ୍ଲୁଇସ୍‌ ଗେଟ୍‌ରୁ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଥିଲା। ହୀରାକୁଦ ଡ୍ୟାମ୍‌୍‌ର ବାମ ପାର୍ଶ୍ୱରୁ ୩ଟି ଓ ଡାହାଣ ପାର୍ଶ୍ୱରୁ ୨ଟି ଗେଟ୍‌ ଖୋଲା ଯାଇଛି। ଏହିଭଳି ମୋଟ ୫ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ ବନ୍ୟାଜଳ ନିଷ୍କାସନ ଦେଖିବାକୁ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଏବଂ ଭିଡ଼ ଜମିିଥିଲା। ହୀରାକୁଦ ଜଳଭଣ୍ଡାରକୁ ରବିବାର ପ୍ରତି ସେକେଣ୍ଡରେ ୮୦ ହଜାର ୯୦୦ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି।

ବନ୍ୟାଜଳ ନିଷ୍କାସନ ସମୟରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଳାଇ, ହୀରାକୁଦ ଡ୍ୟାମ୍‌ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ତେବେ ଆଜି ପ୍ରଥମ ଦିନରେ ହୀରାକୁଦରୁ ୫ଟି ଗେଟ୍‌ରେ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଆଗକୁ ପରିସ୍ଥିତି ଦେଖି ପଦକ୍ଷେପ ନିଆଯିବ ବୋଲି ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଜଳ ନିଷ୍କାସନ ପୂର୍ବରୁ ଜଳଭଣ୍ଡାର ତଳି ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯିବା ସହ ମହାନଦୀର ତଳ ଅଞ୍ଚଳରେ ଥିବା ଜିଲାଗୁଡ଼ିକୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share