ଭୁବନେଶ୍ୱର,୨୫।୬(ବ୍ୟୁରୋ): ହୀରାକୁଦ ଡ୍ୟାମ୍ରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଗୁରୁବାର ସକାଳେ ନିଷ୍କାସିତ ହୋଇଛି। ପାରମ୍ପରିକ ପୂଜାର୍ଚ୍ଚନା ପରେ ପ୍ରଥମେ ହୀରାକୁଦ ଡ୍ୟାମ୍ର ୭ ନମ୍ବର ସ୍ଲୁଇସ ଗେଟ୍କୁ ଖୋଲାଯାଇଛି। ଏହାପରେ ଆଉ ୪ଟି ଗେଟ୍ ଖୋଲାଯାଇଥିଲା। ବର୍ତ୍ତମାନ ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ସୂଚନାଯୋଗ୍ୟ, ଉପରମୁଣ୍ଡରେ ବର୍ଷା ଯୋଗୁ ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୩୪ହଜାର ୬୫୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳସ୍ତର ବୃଦ୍ଧି ପାଉଥିବାରୁ ଏହି ଗେଟ୍ ଖୋଲାଯାଇଥିବା ଜଣାପଡ଼ିଛି। ଗେଟ୍ ଖୋଲାଯିବା ପୂର୍ବରୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ସୁରକ୍ଷା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି।ଏଥିସହ ମତ୍ସ୍ୟଜୀବୀଙ୍କୁ ମାଛ ଧରିବାକୁ ବାରଣ କରାଯାଇଥିବା ସୂଚନା ରହିଛି।