୨୩୩ ବର୍ଷର ଇତିହାସରେ ପ୍ରଥମ: ହୋଚୁଲ୍‌ ନ୍ୟୁୟର୍କର ପ୍ରଥମ ମହିଳା ଗଭର୍ନର…

ନ୍ୟୁୟର୍କ,୧୧।୮: ନ୍ୟୁୟର୍କର ୨୩୩ ବର୍ଷର ଇତିହାସରେ ପ୍ରଥମ ଘଟଣା ଘଟିଛି। ଏଠାରେ ଶାସନ ଡୋର ପ୍ରଥମ ଥର ପାଇଁ ଜଣେ ମହିଳା ଗଭର୍ନରଙ୍କ ହାତକୁ ଯାଇଛି। ଯୌନ ଉତ୍ପୀଡନ ଅଭିଯୋଗରେ ଆଣ୍ଡ୍ର୍ୟୁ କ୍ୟୁମୋ ନିଜ ପଦବୀରୁ ଇସ୍ତଫା ଦେବା ପରେ କ୍ୟାଥି ହୋଚୁଲ ଗଭର୍ନର ଭାବେ ନିଯୁକ୍ତ କରାଯାଇଛି। କ୍ୟୁମୋଙ୍କ ସହିତ ଲ୍ୟୁଟ୍‌ନାଟ୍‌ ଗଭର୍ନର ଭାବେ କ୍ୟାଥି ହୋଚୁଲ କାର୍ଯ୍ୟ କରୁଥିଲେ।
୬୩ ବର୍ଷିୟ କ୍ୟୁମୋ କହିଛନ୍ତି ଯେ, ତାଙ୍କ ଇସ୍ତଫା ୧୪ ଦିନ ମଧ୍ୟରେ କାର୍ଯ୍ୟକାରୀ ହେବ ଏବଂ ଏହି ପରିବର୍ତ୍ତନ ବିନା ବାଧାରେ ସମ୍ପନ୍ନ ହେବ। ହୋଚୁଲଙ୍କ ଦକ୍ଷତା ରହିଛି। ସେ ଗଭର୍ନର ଭାବେ କାର୍ଯ୍ୟ କରିବାକୁ କୌଣସି ଅସୁବିଧା ହେବ ନାହିଁ ବୋଲି କ୍ୟୁମୋ କହିଛନ୍ତି।
କ୍ୟୁମୋଙ୍କ ୪ ବର୍ଷର କାର୍ଯ୍ୟକାଳ ଡିସେମ୍ବର୨୦୨୨ରେ ଶେଷ ନ ହେବା ପର୍ଯ୍ୟନ୍ତ ୬୨ ବର୍ଷିୟା ହୋଚୁଲ ନ୍ୟୁୟର୍କର ୫୭ତମ ଗଭର୍ନର ଭାବେ କାର୍ଯ୍ୟ କରିବେ ।
୨୦୧୫ ଜାନୁଆରୀ ୧ ରେ ନ୍ୟୁୟର୍କ ରାଜ୍ୟର ୭୭ତମ ଲ୍ୟୁଟ୍‌ନାଟ୍‌ ଗଭର୍ନର ଭାବରେ ହୋଚୁଲ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ୨୦୧୪ ନଭେମ୍ବର ୪ରେ କ୍ୟୁମୋଙ୍କ ସହିତ ନିର୍ବାଚିତ ହୋଇଥିଲେ।
ହୋଚୁଲ ତାଙ୍କ ରାଜନୈତିକ ଜୀବନରେ ଶ୍ରମିକଙ୍କ ପାଇଁ ସଂଗ୍ରାମକୁ ଗୁରୁତ୍ୱ ଦେଇଛନ୍ତି। ସର୍ବନିମ୍ନ ମଜୁରୀ ୧୫ ଡଲାର ଏବଂ ସବୈତନିକ ଛୁଟି ପାଇଁ ସଫଳତାର ସହିତ ସଂଗ୍ରାମ କରିଥିଲେ।

Share