
ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କଣ୍ଟିଗଡ଼ିଆ ଗାଁରେ ମୋ ଜନ୍ମ। ଆର୍ଥିକ ଦୁରବସ୍ଥା ଯୋଗୁ ମୋ ବାପା ଗୋପୀନାଥ ଜେନା ଉଚ୍ଚଶିକ୍ଷା ଲାଭ କରିପାରି ନ ଥିଲେ। ଯେତିକି ପଢିଥିଲେ ସେଥିରେ ଟ୍ୟୁଶନ କରି ମୋତେ ଆଉ ମୋ ସାନଭାଇକୁ ମଣିଷ କରିବାକୁ ସେ ତାଙ୍କ ଚେଷ୍ଟା ଜାରି ରଖିଥିଲେ। ଆମେ କେମିତି ସରକାରୀ ଶିକ୍ଷକ ଚାକିରି ପାଉ ସେଇଟା ହିଁ ଥିଲା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ। ସେଥିପାଇଁ ଗାଁ ହାଇସ୍କୁଲ୍ରୁ ମାଟ୍ରିକ ଏବଂ ବାବା ଭୈରବାନନ୍ଦ ମହାବିଦ୍ୟାଳୟରୁ ଯୁକ୍ତ୨ ପାସ୍ କରିବା ପରେ ବାପା ମୋ ନଁା ଛତିଆଠାରେ ଥିବା ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟରେ ଲେଖାଇ ଦେଇଥିଲେ। ସଂସ୍କୃତରେ ବାପାଙ୍କର ଯେହେତୁ ଭଲ ଜ୍ଞାନ ଥିଲା ସେଥିପାଇଁ ସେ ଚାହୁଁଥିଲେ ମୁଁ ବି ସଂସ୍କୃତ ଅନର୍ସରେ ଗ୍ରାଜୁଏଶନ୍ ପାସ୍ କରେ। କିନ୍ତୁ ଆଡ୍ମିଶନର ଦୁଇମାସ ପରେ ସିଟି ଟ୍ରେନିଂ ପାଇଁ ଆବେଦନ ଫର୍ମ ବାହାରିବାରୁ ବାପା ସେଥିରେ ମୋର ଆପ୍ଲାଏ କରିଦେଲେ। ଯୋଗକୁ ପ୍ରଥମ ସିଲେକ୍ଶନ୍ରେ ମୋ ନଁା ଖୋର୍ଦ୍ଧା ଶିକ୍ଷକ ତାଲିମ ପ୍ରତିଷ୍ଠାନ ପାଇଁ ଆସିଯିବାରୁ ମୁଁ ଛତିଆ କଲେଜରୁ ଟି.ସି. ନେଇ ଖୋର୍ଦ୍ଧାରେ ଥିବା ଜୟୀ ରାଜଗୁରୁ ଛାତ୍ରାବାସରେ ରହି ପଢିଲି। ଛାତ୍ରାବାସରେ ରହିବା, ଖାଇବା ଖର୍ଚ୍ଚ ସାଙ୍ଗକୁ ମୋ ହାତଖର୍ଚ୍ଚ ପାଇଁ ବାପାଙ୍କୁ ପ୍ରତିମାସରେ ପ୍ରାୟ ଦୁଇ ହଜାର ଟଙ୍କା ଦେବାକୁ ପଡୁଥିଲା। ସ୍ବଳ୍ପ ରୋଜଗାରରେ ଘରକଥା ବୁଝିବା ସହ ମୋତେ ମଣିଷ କରିବା ପାଇଁ ବାପାଙ୍କୁ ଯେ କେତେ କଷ୍ଟ ସହିବାକୁ ପଡୁଥିଲା ତାହା ମୁଁ ଠିକ୍ ବୁଝି ପାରୁଥିଲି। ନିଜ ପାଇଁ ନୂଆ ପୋଷାକ କି ପାଦକୁ ହଳେ ଚପଲ ନ କିଣି ସେ ମୋ ପାଇଁ ସବୁ ସୁବିଧା ଖଞ୍ଜି ଦେଉଥିଲେ; ଯେମିତି ମୋର କିଛି ଅସୁବିଧା ନ ହେବ। ଯାହାହେଉ ତାଙ୍କରି ଆଶୀର୍ବାଦରୁ ଫାଷ୍ଟ କ୍ଲାସ୍ରେ ସିଟି ପାସ୍ କରି ମୁଁ ଘରକୁ ଫେରିଲି। ଚାକିରି ବାହାରି ନ ଥିବାରୁ ମୋ ସମୟ ଯେମିତି ଅଯଥାରେ ନ କଟୁ ସେଥିଯୋଗୁ ବାପା ମୋ ଲାଗି ଟ୍ୟୁଶନ ବୁଝି ଦେଇଥିଲେ। ୪ର୍ଥ ଶ୍ରେଣୀରେ ପଢୁଥିବା ଛାତ୍ରଟିକୁ ମାସେ ଟ୍ୟୁଶନ କରିବା ପରେ ୫୦୦ ଟଙ୍କା ପାରିଶ୍ରମିକ ପାଇଥିଲି; ଯାହାକି ଥିଲା ମୋ ଜୀବନର ପ୍ରଥମ ରୋଜଗାର। ଘରେ ବାପାଙ୍କର ଗୋଟେ ପୁରୁଣା ସାଇକେଲ୍ ଥିଲା; ଯାହାକୁ ମୁଁ ବହୁବାର ଚଲେଇଛି। ସାଇକେଲ୍ଟି କେବଳ ବାପାଙ୍କର ଟ୍ୟୁଶନ ଯିବାଆସିବାରେ ବ୍ୟବହାର ହେଉ ନ ଥିଲା ଘରର ସଉଦାପତ୍ର ହେଉ କି ରୋଷେଇ ପାଇଁ ଜାଳ ସଂଗ୍ରହ କରିବା ହେଉ ସବୁ ମୂଳରେ ସେହି ସାଇକେଲର ଭୂମିକା ଯଥେଷ୍ଟ ରହୁଥିଲା। ସେହି ସାଇକେଲ୍ଟି ଭାଙ୍ଗି ଯାଇଥିବାର ଦେଖି ମୋ ମନ କଷ୍ଟ ହେଲା। ସଙ୍ଗେ ସଙ୍ଗେ ସାଇକେଲ୍କୁ ଧରି ମେକାନିକ୍ ପାଖକୁ ଗଲି। ସାଇକେଲ୍କୁ ଦେଖି ସେ ନୂଆ ଟିଉ, ଟାୟାର୍ ସହ ଯାହା ଯାହା ପାଟର୍ସ ଲେଖିଦେଲା ସବୁ କିଣି ଆଣି ତାକୁ ଦେଇ ଅଏଲିଙ୍ଗ୍ କରିବାକୁ କହିଦେଲି। ଅଏଲିଙ୍ଗ୍ ପରେ ମୁଁ ନିଜେ ବାଲି କାଗଜରେ ଘସି ନୀଳ ରଙ୍ଗ ଦେବା ଦ୍ୱାରା ସାଇକେଲଟି ପୁଣି ନୂଆ ଦେଖାଗଲା। ବାପା ଭାରି ଖୁସି ହେଲେ। ଏମିତି କିଛିଦିନ ଯିବା ପରେ ୨୦୧୧ ମସିହା ମାର୍ଚ୍ଚ ୨୩ରେ ଧର୍ମଶାଳା ବ୍ଲକର ଡିହ ନରସିଂହପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସହାୟକ ଭାବେ ମୋତେ ନିଯୁକ୍ତି ମିଳିଲା। ଚାକିରିର ପ୍ରଥମ ଦରମା ୩୫୨୦ଟଙ୍କାକୁ ବାପାଙ୍କ ହାତରେ ଦେଇଥିଲି। ବାପା ତାକୁ ଗାଁ ଶିବମନ୍ଦିର କାମରେ ଲଗାଇଥିଲେ। କିଛିଦିନ ଚାକିରି କରିବା ପରେ ଡିଷ୍ଟାନ୍ସରେ ଭୁବନେଶ୍ୱରସ୍ଥ ଡିଡିସିଇରେ ସଂସ୍କୃତ ଅନର୍ସ ରଖି ଯୁକ୍ତ ତିନ ପଢି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲି। ତା’ପରେ ପୁରୀସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ସାହିତ୍ୟ ଆଚାର୍ଯ୍ୟ ଅର୍ଥାତ୍ ସଂସ୍କୃତରେ ପିଜି କରି ସେଥିରେ ମଧ୍ୟ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲି। ବର୍ତ୍ତମାନ ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶଙ୍ଖ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ରୂପେ କାର୍ଯ୍ୟରତ। ଶିକ୍ଷକତା ବାଦ୍ ମୁଁ ଶିଶୁ ଗପ, ଶିଶୁ କବିତା, ପ୍ରବନ୍ଧ, ସ୍ତମ୍ଭ, ଭଜନ ତଥା ଗାଁରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ନାଟକର ଟାଇଟଲ୍ ଗୀତ ବି ଲେଖାଲେଖି କରିଥାଏ। ଦିନେ ପାଲାଗାୟକ ଭାବେ ବାପାଙ୍କର ଖୁବ୍ ନଁା ଥିଲା। କିନ୍ତୁ ପାରିବାରିକ ଜଞ୍ଜାଳ ଯୋଗୁ ସେ ବେଶି ଦିନ ପାଲା ଗାଇ ପାରିଲେ ନାହିଁ। ହୁଏତ ତାଙ୍କର ସେହି କଳାରୁ କିଞ୍ଚତ୍ତ୍ ମୋ ଭିତରେ ରହିଯାଇଛି; ଯେଉଁଥିପାଇଁ ମୋର ଲେଖାଲେଖିର ଧାରା ଜାରି ରହିଛି।