Categories: ଫୁରସତ

୪,୫୦୦ ବର୍ଷ ପୂର୍ବେ ହୋଇଥିଲା ପ୍ରଥମ ଅଧର ଚୁମ୍ବନ

ନୂଆଦିଲ୍ଲୀ, ୨୨ା୫: ଆଜିକୁ ୪,୫୦୦ ବର୍ଷ ପୂର୍ବେ ବିଶ୍ୱର ପ୍ରଥମ ଅଧର ଚୁମ୍ବନ ମେସୋପଟାମିଆ ସମାଜରେ ହୋଇଥିଲା ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ପ୍ରାଚୀନ ମଧ୍ୟପ୍ରାଚ୍ୟର ଲୋକମାନେ ଲିପ୍‌ କିସିଂ କରୁଥିଲେ ବୋଲି ଗବେଷକମାନେ ଏକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ୩,୫୦୦ ବର୍ଷ ପୂର୍ବେ ଦକ୍ଷିଣ ଏସିଆର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଲିପ୍‌ କିସିଂ ଆରମ୍ଭ ହୋଇଥିବାର ପ୍ରମାଣ ଥିବା ପୂର୍ବରୁ ଏକ ଗବେଷଣା ସିଦ୍ଧାନ୍ତରେ କୁହାଯାଇଥିଲା। ପରେ ଏହା ଅନ୍ୟ ଅଞ୍ଚଳକୁ ବ୍ୟାପିଥିଲା। ଏବେ କୋପେନ୍‌ହାଗେନ ୟୁନିଭର୍ସିଟି ଏବଂ ଅକ୍ସଫୋଡ୍‌ ୟୁନିଭର୍ସିଟିର ଗବେଷକମାନେ ‘ସାଇନ୍ସ’ ପତ୍ରିକାରେ ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ ପୁରାତନ ମେସୋପଟାମିଆ ସଭ୍ୟତାରେ ଅଧର ଚୁମ୍ବନ ପ୍ରଥା ଥିଲା, ଯାହାକି ୪,୫୦୦ ବର୍ଷ ତଳର। ମେସୋପଟାମିଆ ହେଉଛି ପ୍ରଥମ ମାନବ ସଭ୍ୟତା, ଯାହା ୟୁଫ୍ରେଟସ୍‌ ଏବଂ ଟାଇଗ୍ରିସ୍‌ ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳରେ ଗଢ଼ିଉଠିଥିଲା। ଉକ୍ତ ଅଞ୍ଚଳ ଏବେ ଇରାକ ଏବଂ ସିରିଆରେ ରହିଛି। ସେତେବେଳେ ଲୋକେ ମାଟି ସ୍ଲେଟ୍‌ରେ କ୍ୟୁନିଫର୍ମ ଲିପିରେ ଲେଖୁଥିଲେ।

Share