Categories: ଜାତୀୟ

୧୦୦ ବିଲିୟନ କ୍ଲବ୍‌ର ପ୍ରଥମ ମହିଳା

ନୂଆଦିଲ୍ଲୀ,୩୦ା୧୨: ଏଲ୍‌’ଓରିଅଲ ବିଉଟି ଏମ୍ପାୟାରର ଉତ୍ତରାଧିକାରୀ ଫ୍ରାନ୍‌କୋଇସ୍‌ ବେଟେନ୍‌କୋର୍ଟ ମେୟେର୍ସ ବିଶ୍ୱର ପ୍ରଥମ ମହିଳା, ଯାହାଙ୍କ ସମ୍ପତ୍ତି ୧୦୦ ବିଲିୟନ ଡଲାରରୁ ଅଧିକ। ବ୍ଲୁମ୍‌ବର୍ଗ ବିଲିଅନେୟାର୍ସ ସୂଚକାଙ୍କ ଅନୁଯାୟୀ ଫ୍ରାନ୍‌କୋଇସ୍‌ଙ୍କ ସମ୍ପତ୍ତି ପରିମାଣ ଗୁରୁବାର ୧୦୦.୧ ବିଲିୟନ ଡଲାର (୮,୩୩,୦୩୫ କୋଟି ୨୦ ଲକ୍ଷ ୩୦ ହଜାର ଟଙ୍କା)ରେ ପହଞ୍ଚତ୍ଛି। ଗୁରୁବାର ଏଲ୍‌’ଓରିଅଲ୍‌ ଏସ୍‌.ଏ. ଷ୍ଟକ୍‌ରେ ରେକର୍ଡ ବୃଦ୍ଧି ଯୋଗୁ ଫ୍ରାନ୍‌କୋଇସ୍‌ଙ୍କ ସମ୍ପତ୍ତି ୧୦୦ ବିଲିୟନ ଡଲାର ଟପିଛି। ଏଲ୍‌’ଓରିଅଲରେ ଫ୍ରାନ୍‌କୋଇସ୍‌ ଓ ତାଙ୍କ ପରିବାରର ୩୫ ପ୍ରତିଶତ ଅଂଶଧନ ରହିଛି, ଯାହାକି କମ୍ପାନୀର ସର୍ବାଧିକ ଅଂଶୀଦାର। ଫ୍ରାନ୍‌କୋଇସ୍‌ଙ୍କ ଜେଜେ ୧୯୦୯ରେ ଉକ୍ତ କମ୍ପାନୀ ସ୍ଥାପନ କରିଥିଲେ।
୨୦୧୭ରେ ଯେତେବେଳେ ଫ୍ରାନ୍‌କୋଇସ୍‌ଙ୍କ ମାଆ ଲିଲିଆନେ ବେଟେନକୋର୍ଟଙ୍କ ପରଲୋକ ହେଲା, ସେତେବେଳେ ଉତ୍ତରାଧିକାର ସୂତ୍ରରେ ଫ୍ରାନ୍‌କୋଇସ୍‌ ବହୁ ବିଲିୟନ ଡଲାର ଏବଂ ଅନେକ ବିଲ୍ଡିଂର ମାଲିକ ହୋଇଥିଲେ। ଫ୍ରାନ୍‌କୋଇସ୍‌ଙ୍କ ପରେ ଦ୍ୱିତୀୟ ସବୁଠୁ ଧନୀ ମହିଳା ହେଉଛନ୍ତି ଓ୍ବାଲମାର୍ଟ ରିଟେଲ ଏମ୍ପାୟାରର ଉତ୍ତରାଧିକାରୀ ଆଲିସ୍‌ ଓ୍ବାଲ୍‌ଟନ୍‌। ତାଙ୍କ ସମ୍ପତ୍ତି ପରିମାଣ ୭୦ ବିଲିୟନ ଡଲାର। ୧୦୦ ବିଲିୟନ ଡଲାର ସମ୍ପତ୍ତିର ମାଲିକ ହେବା ସତ୍ତ୍ୱେ ଫ୍ରାନ୍‌କୋଇସ୍‌ ହେଉଛନ୍ତି ବିଶ୍ୱର ଦ୍ୱାଦଶ ଧନୀ ବ୍ୟକ୍ତି।

Share