Categories: ଖେଳ

ପ୍ରଥମ ନ୍ୟାୟିକ ବିଜୟ: ରେସ୍‌ଲର

ନୂଆଦିଲ୍ଲୀ,୧୫ା୫(ପି.ଟି.) : ଭାରତୀୟ ରେସ୍‌ଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ଶନିବାର ଭାରତୀୟ ଅଲିମ୍ପିକ୍ସ ମହାସଂଘ (ଆଇଓଏ) ପକ୍ଷରୁ ନିଯୁକ୍ତ ଆଡ୍‌ହକ୍‌ କମିଟି ପୂର୍ଣ୍ଣ କ୍ଷମତା ହାସଲ କରିଛି। ଏହା ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଆମର ପ୍ରଥମ ବିଜୟ ବୋଲି ଧାରଣାରତ ରେସ୍‌ଲରମାନେ ପ୍ରକାଶ କରିଛନ୍ତି। ଆଡ୍‌ହକ୍‌ କମିଟି ହାତକୁ କ୍ଷମତା ଯିବା ଦ୍ୱାରା ଡବ୍ଲ୍ୟୁଏଫ୍‌ଆଇ ପରିଚାଳନାରେ ଏହାର ଅଧିକାରୀଙ୍କ କୌଣସି ଭୂମିକା ରହିବ ନାହିଁ। ମହିଳା ରେସ୍‌ଲରଙ୍କୁ ବ୍ରିଜ୍‌ଭୂଷଣ ଯୌନଶୋଷଣ କରିଥିବା ଅଭିଯୋଗ ଆଣିବା ସହ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଚାଲିଥିବା ଆନ୍ଦୋଳନ ୨୨ ଦିନରେ ପହଞ୍ଚତ୍ଛି। ଶୁକ୍ରବାର ଆଇଓଏ ପକ୍ଷରୁ ସମସ୍ତ ଜରୁରୀ ଡକ୍ୟୁମେଣ୍ଟ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଆଇଓଏର ନିର୍ଦ୍ଦେଶ ପାଳନ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଡବ୍ଲ୍ୟୁଏଫ୍‌ଆଇ ପକ୍ଷରୁ କୁହାଯାଇଛି। କ୍ରୀଡ଼ା ମନ୍ତ୍ରଣାଳୟ ନିର୍ଦ୍ଦେଶରେ ଆଇଓଏ ପକ୍ଷରୁ ଏହି କମିଟି ଗଠନ କରାଯାଇଥିଲା। ଏହା ଡବ୍ଲ୍ୟୁଏଫ୍‌ଆଇର ଦୈନନ୍ଦିନ କାର୍ଯ୍ୟଭାର ପରିଚାଳନା କରିବ। ଏହାସହିତ ଡବ୍ଲ୍ୟୁଏଫ୍‌ଆଇର ନିର୍ବାଚନ ପ୍ରକ୍ରିୟା ମଧ୍ୟ ଆଡ୍‌ କମିଟି ବୁଝିବ। ଏହା ଆମ ପାଇଁ ବିଜୟର ପ୍ରଥମ ସୋପାନ, ତେବେ ନ୍ୟାୟ ନ ମିଳିବା ଯାଏ ଏହି ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ଅଲିମ୍ପିକ୍ସ ବ୍ରୋଞ୍ଜ୍‌ ପଦକ ବିଜୟୀ ବଜରଙ୍ଗ ପୁନିଆ। ଶାସକ ଦଳର ଜଣେ ବି ସଦସ୍ୟ ଏହି ଲଢ଼େଇରେ ଆମର ସାଥ୍‌ ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଏସିଆନ୍‌ ଗେମ୍ସ ସ୍ବର୍ଣ୍ଣ ବିଜେତା ଭିନେଶ୍‌ ଫୋଗତ କହିଛନ୍ତି। ସୋମବାରଠାରୁ ଦେଶର ସମସ୍ତ ମହିଳା ଏମ୍‌ପିଙ୍କୁ ଏହି ଲଢ଼େଇରେ ସାମିଲ ହେବା ପାଇଁ ଆମନ୍ତ୍ରଣ ଦିଆଯାଇଥିଲେ ମଧ୍ୟ ଜଣେ ବି ଏହାକୁ ନେଇ ଆଗ୍ରହ ଦେଖାଇନାହାନ୍ତି। ଦେଶରେ ମହିଳାଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା ହେଉଛି। ଆମେ ମଧ୍ୟ ଦେଶର ଝିଅ ଓ ଆମ ସପକ୍ଷରେ ସମସ୍ତେ ଆଗକୁ ଆସିବା ଉଚିତ୍‌। ଅନ୍ୟପକ୍ଷରେ ଆଇଓଏର ୩ ଜଣିଆ ଆଡ୍‌ହକ୍‌ କମିଟି ଏହା ଏକ ସାମୟିକ ବ୍ୟବସ୍ଥା ବୋଲି ସ୍ପଷ୍ଟ କରିଛି। ଆସନ୍ତା ୪୫ ଦିନ ମଧ୍ୟରେ ଡବ୍ଲ୍ୟୁଏଫ୍‌ଆଇର ନୂତନ କର୍ମକର୍ତ୍ତାଙ୍କ ନିର୍ବାଚନ ହେବ। ଏହାପରେ ପୁନର୍ବାର ଡବ୍ଲ୍ୟୁଏଫ୍‌ଆଇ ହାତକୁ କ୍ଷମତା ପ୍ରଦାନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।

Share